ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକା ପ୍ରକାଶ: ସୋଆର ୧୬ ଜଣ ବିଶିଷ୍ଟ ଗବେଷକ ପାଇଲେ ସ୍ଥାନ

ଭୁବନେଶ୍ୱର :ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକା ପ୍ରକାଶ ପାଇଛି । ତେବେ ଏହି ପ୍ରକାଶିତ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୧୬ ଜଣ ବିଶିଷ୍ଟ ଗବେଷକ ସ୍ଥାନ ପାଇଛନ୍ତି।

୨୦୨୨ ନିମନ୍ତେ ଆମେରିକାର ପ୍ରତିଷ୍ଠିତ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ବୈଜ୍ଞାନିକମାନଙ୍କ ତାଲିକାରେ ସୋଆର ଏହି ଗବେଷକମାନେ ଅଛନ୍ତି। ତେବେ ୨୦୨୧ରେ ୧୩ ଜଣ ଗବେଷକ ଏହି ତାଲିକାରେ ସ୍ଥାନ ପାଇଥିଲେ। ତେବେ ଏମାନଙ୍କ ମଧ୍ୟରୁ ଗତ ତିନି ବର୍ଷ ଧରି ଏହି ତାଲିକାରେ ନିଜ ନିଜ ସ୍ଥାନ ବଜାୟ ରଖିଥିବା ଗବେଷକମାନେ ହେଲେ ବିଶିଷ୍ଟ ସ୍ନାୟୁ ଶଲ୍ୟ ବିଶେଷଜ୍ଞ ତଥା ବର୍ତମାନ ସୋଆର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ପ୍ରଫେସର ପ୍ରଦୀପ୍ତ କିଶୋର ଦାଶ, ପ୍ରଫେସର କୁଳମଣି ପରିଡ଼ା, ପ୍ରଫେସର ଲାଲା ବିହାରୀ ଶୁକ୍ଳା, ପ୍ରଫେସର ଆର.ଏନ୍‌.ପି. ଚୌଧୁରୀ, ପ୍ରଫେସର ଗୌତମ ରଥ, ପ୍ରଫେସର ନିହାରବାଳା ଦେବୀ, ଡଃ ମନୋଜ କୁମାର ନାୟକ ଓ ଡଃ ସତ୍ୟ ରଞ୍ଜନ ମିଶ୍ର।

ସେହିପରି ୨୦୨୧ ତାଲିକାରେ ସ୍ଥାନ ପାଇଥିବା ସୋଆର ଗବେଷକ ଡଃ ମନୋହର ମିଶ୍ର, ଡଃ ରାଜଶ୍ରୀ ଦାଶ ଏବଂ ଡଃ ସୁଲଗ୍ନା ପଟ୍ଟନାୟକ ଚଳିତବର୍ଷ ଏହି ତାଲିକାରେ ସ୍ଥାନିତ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏମାନଙ୍କ ସହିତ ଅନ୍ୟ ଚାରି ଜଣ ଗବେଷକ ପ୍ରଫେସର ରବୀନ୍ଦ୍ରନାଥ ପାଢ଼ୀ, ପ୍ରଫେସର ବିନୋଦ କୁମାର ସାହୁ, ଡ. ସୁସଂଗିନୀ ନାୟକ ଓ ଡ. ଦୀପ୍ତିପ୍ରଭା ସାହୁ ପ୍ରଥମ ଥର ପାଇଁ ଏହି ସମ୍ମାନ ପାଇଛନ୍ତି। ପ୍ରଫେସର ରାଜଶ୍ରୀ ଦାଶ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ରେ ପ୍ରଫେସର ଭାବେ କାର୍ଯ୍ୟରତ ଥିବା ବେଳେ ଡ. ମିଶ୍ର ଆସୋସିଏଟ୍ ପ୍ରଫେସର ଭାବେ କାର୍ଯ୍ୟ କରନ୍ତି । ଡଃ ପଟ୍ଟନାୟକ ଆଇଟିଇଆରର ଜଣେ ପୂର୍ବତନ ରିସର୍ଚ୍ଚ ସ୍କଲାର।

ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡ. ମନୋଜରଞ୍ଜନ ନାୟକ ଏହି ସମ୍ମାନଜନକ ତାଲିକାରେ ସ୍ଥାନ ପାଇଥିବା ଯୋଗୁଁ ସମସ୍ତ ୧୬ ଜଣ ଗବେଷକଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରି ରହିଥିବା ଗବେଷଣା କାର୍ଯ୍ୟକୁ ଏହି ସମ୍ମାନ ଅଧିକ ପ୍ରୋତ୍ସାହିତ କରିବ ବୋଲି କହିଛନ୍ତି।

ଚଳିତବର୍ଷ ଏହି ତାଲିକାରେ ସ୍ଥାନ ପାଇଥିବା ପ୍ରଫେସର ଅଶୋକ କୁମାର ମହାପାତ୍ର ଜାତୀୟ ସ୍ତରରେ ଜଣେ ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ହୋଇଥିବା ବେଳେ ପ୍ରଫେସର ପ୍ରଦୀପ୍ତ କିଶୋର ଦାଶ ଶକ୍ତି କ୍ଷେତ୍ରରେ ଜଣେ ପ୍ରତିଷ୍ଠିତ ଗବେଷକ । ପ୍ରଫେସର ପରିଡ଼ା ଏବଂ ପ୍ରଫେସର ଶୁକ୍ଳା ଯଥାକ୍ରମେ ଫିଜିକାଲ୍ କେମିଷ୍ଟ୍ରି ଓ ମାଇନିଂ ଆଣ୍ଡ ମେଟାଲର୍ଜି କ୍ଷେତ୍ରରେ ଗବେଷଣାରତ । ପ୍ରଫେସର ଚୌଧୁରୀ ଆପ୍ଲାଏଡ୍ ଫିଜିକ୍ସ ଏବଂ ପ୍ରଫେସର ଦେବୀ ମାଇନିଂ ଆଣ୍ଡ ମେଟାଲର୍ଜି କ୍ଷେତ୍ରରେ ଗବେଷଣା ଜାରି ରଖିଛନ୍ତି। ଗବେଷଣାକୁ ଅଧିକ ଗୁରୁତ୍ୱ ଦେଉଥିବା ସୋଆରେ ୧୬ଟି ଗବେଷଣା କେନ୍ଦ୍ର ଏବଂ ୫୮ଟି ଗବେଷଣା ଲାବୋରାଟୋରି ରହିଛି

Related Posts