ରୋଗୀଙ୍କୁ ଅକ୍ସିଜେନ ସିଲିଣ୍ଡର ଯୋଗାଇବା ପାଇଁ ବିକ୍ରି କଲେ XUV କାର

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ଦେଶରେ ଦିନକୁ ଦିନ କୋଭିଡ ସଂକ୍ରମଣ ବଢିବାରେ ଲାଗିଛି । ତେବେ କରୋନା ସଙ୍କଟ ସମୟରେ ଡାକ୍ତରଖାନା ମାନଙ୍କରେ ଅକ୍ସିଜେନର ଅଭାବ ହେଉଥିବାର ଦେଖିବା ପାଇଁ ମିଳିଛି । ଯାହାଫଳରେ ଅନେକ ରୋଗୀ ମୃତ୍ୟୁବରଣ କରୁଛନ୍ତି । ତେବେ ମୁମ୍ବାଇର ମଲାଡ ଠାରେ ରହୁଥିବା ଜଣେ ବ୍ୟକ୍ତି ଅକ୍ସିଜେନ ଯୋଗାଇବା ପାଇଁ ନିଜ XUVକୁ ବିକ୍ରି କରି ଚର୍ଚ୍ଚାରେ ରହିଛନ୍ତି । ସେ ସ୍ଥାନୀୟ ଅଞ୍ଚଳରେ ଅମ୍ଳଜାନ ମ୍ୟାନ ନାମରେ ବେଶ ପରିଚିତ । ଏକ ଫୋନ କଲରେ ହିଁ ରୋଗୀଙ୍କୁ ଅମ୍ଳଜାନ ଯୋଗାଇ ଦେଇଥାନ୍ତି ଶାହନାୱାଜ ଶେଖ । ଏପରିକି ତାଙ୍କ ଦଳ ଏକ କଣ୍ଟ୍ରୋଲ ରୁମ ମଧ୍ୟ ସ୍ଥାପନ କରିଛନ୍ତି । କିଛିଦିନ ପୂର୍ବରୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନିଜର ଫୋର୍ଡ ଏଣ୍ଡେଭେରକୁ ୨୨ ଲକ୍ଷ ଟଙ୍କାରେ ବିକି ଦେଇଥିଲେ । ଏହି ଟଙ୍କାରେ ସେ ୧୬୦ଟି ଅମ୍ଳଜାନ ସିଲିଣ୍ଡର କିଣିଥିଲେ ଏବଂ ସ୍ଥାନୀୟ କରୋନା ରୋଗୀଙ୍କୁ ଦେଇଥିଲେ ।

ତେବେ ରୋଚକ କଥାଟି ହେଲା, ପୂର୍ବ ବର୍ଷ ତାଙ୍କ ବନ୍ଧୁଙ୍କ ପତ୍ନୀ ଅମ୍ଳଜାନ ଅଭାବରୁ ଅଟୋ ରିକ୍ସାରେ ମୃତ୍ୟୁ ବରଣ କରିଥିଲେ । ଏହି ଖବର ଶୁଣିବା ପରେ ଶାହନାୱାଜ ଶେଖଙ୍କୁ ଗଭୀର ଝଟକା ଲାଗିଥିଲା । ଏହା ପରେ ସେ ମୁମ୍ବାଇର ରୋଗୀଙ୍କ ପାଇଁ ଅମ୍ଳଜାନ ଯୋଗାଣ ଏଜେଣ୍ଟ ଭାବରେ କାମ କରିବାକୁ ନିଷ୍ପତ୍ତି ନେଇଥିଲେ । ବାସ ସେଇ ଦିନ ଠାରୁ ହିଁ ଆରମ୍ଭ ହୋଇଥିଲା ତାଙ୍କର ଏହି ଯାତ୍ରା । ଅନ୍ୟପଟେ ଲୋକମାନଙ୍କୁ ଠିକ ସମୟରେ ସହାୟତା ଯୋଗାଇବା ପାଇଁ ଶାହନାୱାଜ ଏକ ହେଲ୍ପଲାଇନ ନମ୍ବର ମଧ୍ୟ ଦେଇଛନ୍ତି । କେବଳ ଏତିକି ନୁହେଁ ବରଂ ଲୋକଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ କହି ଏକ କଣ୍ଟ୍ରୋଲ ରୁମ ମଧ୍ୟ ଖୋଲିଛନ୍ତି ।

Related Posts