‘ଆପଣ ମୁହଁରେ ସୁନା ଚାମଚ ନେଇ ଜନ୍ମ ହୋଇଛନ୍ତି, ଗରିବଙ୍କ କଥା କ’ଣ ବୁଝିବେ ?; ପଦ୍ମପୁରରୁ ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଦ୍ମପୁର ଉପନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଛି। ସବୁ ଦଳ ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ଘର ଘର ବୁଲି ଭୋଟ ମାଗୁଛନ୍ତି। ଗାଁ ଗଣ୍ଡାରେ ମାଳ ମାଳ ମନ୍ତ୍ରୀ, ବିଧାୟକ ଓ ଦଳୀୟ କର୍ମୀ ପ୍ରଚାର କରୁଥିବାବେଳେ ଆଜି ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହିତ ପଦ୍ମପୁର ପାଇକମାଳରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧା ନିଶାନା କରିଛନ୍ତି ଧର୍ମେନ୍ଦ୍ର । କହିଛନ୍ତି ଯେ, ଆଜି ଯାଏଁ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶାର ଧାନକିଣା କଥା ମୋଦିଙ୍କୁ କହିବାର ମୁଁ କେବେ ଦେଖିନି କି ଶୁଣିନି। ବରଂ ଖାଲି ଲୋକ ଦେଖାଣିଆ କହିଚାଲିଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର । ଏହା ସହିତ ନବୀନଙ୍କୁ କଟାକ୍ଷ କରି ଧର୍ମେନ୍ଦ୍ର କହିଛନ୍ତି ଯେ, ନବୀନ ବାବୁ ଆପଣ ହେଲେ ବଡ଼ ଲୋକ, ଆପଣ ମୁହଁରେ ସୁନା ଚାମଚ ନେଇ ଜନ୍ମ ହୋଇଛନ୍ତି ତେଣୁ ଆପଣ ଗରିବଙ୍କ କଥା କ’ଣ ବୁଝିବେ ?

ଅନ୍ୟପଟେ ନିଜ ଭାଷଣରେ ଚାଷୀଙ୍କୁ ଅବହେଳା, ମଣ୍ଡି ଅବବ୍ୟସ୍ଥା ନେଇ ବିଜେଡି ଉପରେ ବର୍ଷିଛନ୍ତି ଧର୍ମେନ୍ଦ୍ର । କହିଛନ୍ତି ଯେ, ୨୨ ବର୍ଷ ଆପଣ ଶାସନ ରହିଲେ କିନ୍ତୁ ସବୁଥିରେ ବିଫଳତା ହିଁ ବିଫଳତା । ଯାହା ୨୨ ବର୍ଷରେ କରି ପାରି ନାହାନ୍ତି ତାକୁ ୧୮ ମାସରେ କିପରି ହେବ, ପଦ୍ମପୁରବାସୀଙ୍କୁ ଖାଲି ପଇସାର ତାକତ ଦେଖାଉଛି ଶାସକ ଦଳ । ସହିଦ ମାଟିର ସନ୍ତାନଙ୍କୁୁ ଏମାନେ ଟଙ୍କାରେ କିଣିବାକୁ ଚାହୁଁଛନ୍ତି । କିନ୍ତୁ ସରକାରୀ କଳକୁ ପଦ୍ମପୁରବାସୀ ଉଚିତ୍ ଜବାବ୍ ଦେବେ । ଏ ମଣ୍ଡି ପାଇଁ ତ ମୋଦି ପଇସା ଦେଇଥିଲେ କୁଆଡେ ଗଲା ହିସାବ ଦିଅନ୍ତୁ । ଯଦି ନଦେଇ ପାରିବେ ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ ସବୁର ସମୟ ଆସିବ ହିସାବ ହେବ ବୋଲି କଡ଼ା ଟିପ୍ପଣି ଦେଇଛନ୍ତି ଧର୍ମେନ୍ଦ୍ର ।

ଏହାସହିତ ନିଜ ଭାଷଣରେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ କଡା ଭାଷାରେ ଟାର୍ଗେଟ କରି ଧର୍ମେନ୍ଦ୍ର କହିଛନ୍ତି ଯେ, ସ୍ୱାସ୍ଥ୍ୟ ବିଭାଗ ପଛେ ଉବୁଟୁବୁ ହେଉ କିନ୍ତୁ ସ୍ବାସ୍ଥ୍ୟମନ୍ତ୍ରୀ ତାଙ୍କ କାନ୍ଧରେ ଟଙ୍କା ମୁଣି ପକାଇ ପଦ୍ମପୁରରେ ଡେରା ପକାଇଛନ୍ତି । ଯେଉଁ ମନ୍ତ୍ରୀ ଜାନକୀ ବାବୁଙ୍କ ସମୟରେ ଏକ ନମ୍ବର ମନ୍ତ୍ରୀ ଥିଲେ ପରେ ତାଙ୍କ ସରକାରକୁ ଡୁବାଇଥିଲେ ଏବେ ନବୀନ ବାବୁଙ୍କ ଗୁଡ୍ ବୁକରେ ରହିବାକୁ ଚାହୁଁଛନ୍ତି । ତେଣୁ ଆଗକୁ ନବୀନ ବାବୁଙ୍କ ସରକାରକୁ ମଧ୍ୟ ଡୁବାଇବେ ବୋଲି କଟାକ୍ଷ କରିଛନ୍ତି ଧର୍ମେନ୍ଦ୍ର ।

ତେବେ ପଦ୍ମପୁରରେ ବିଜେପିର ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ନିଜ ଭାଷଣରେ ପ୍ରଶଂସା କରି ଧର୍ମେନ୍ଦ୍ର କହିଛନ୍ତି ଯେ, ମୋଦି ଆପଣଙ୍କୁ ପଦ୍ମପୁର ପାଇଁ ମନୋନୀତ କଲେ, ନଡ୍ଡା ଜୀ ଦସ୍ତଖତ କରି ଆପଣଙ୍କୁ ଟିକେଟ୍ ଦେଲେ । ଆପଣ କୃଷକ ଆନ୍ଦୋଳନରୁ ନିର୍ବାଚନକୁ ଆସିଛନ୍ତି ତେଣୁ ଚାଷୀଙ୍କ କଥା ଆପଣଙ୍କଠୁ କେହି ଭଲ ବୁଝିପାରିବେ ନାହିଁ । ଆମ ହଳିଆ କୁନା ପୁରୋହିତ, ଆମର ଗୁତି ହେଲେ କୁନା ପୁରୋହିତ ତେଣୁ ଆପଣମାନଙ୍କ ହାତରେ ଏବେ ଆମେ ଜଣେ ହଳିଆକୁ ଛାଡ଼ିଲୁ ନିଷ୍ପତି ପଦ୍ମପୁରବାସୀ ନେବେ ବୋଲି ସେ କହିଛନ୍ତି ।

ଧର୍ମେନ୍ଦ୍ର ଆହୁରି କହିଛନ୍ତି ଯେ, ଆମେ ଚାହୁଁଛୁ ନିର୍ବାଚନ ପ୍ରସଙ୍ଗ ଉପରେ ହେଉ ତେଣୁ ମୁଁ ହାତରେ ଓଡ଼ିଶା ସରକାରଙ୍କ ବିଫଳତାର ଫର୍ଦ୍ଦ ଧରିକି ଆସିଛି । ମୋଦି କେନ୍ଦ୍ରରୁ ଧାନକିଣାର ପଇସା ଦେଉଥିଲେ ହେଲେ ନବୀନ ବାବୁଙ୍କ ସରକାର ପୁଞ୍ଜିପତିଙ୍କ ସହ ମିଶି ତାକୁ ହଳ କରିଦେଲେ । ଶାସକ ଦଳ ମିଲର ମାଲିକଙ୍କ ସହ ମଧୂଚନ୍ଦ୍ରିକା କରି ଧାନ ପଇସା ଖାଇଯାଉଛନ୍ତି । ଏଥର ପ୍ରଦୀପ ପୁରୋହିତ (କୁନା ବାବୁ) ପଦ୍ମପୁରରୁ ବିଧାନସଭା ଯିବେ ଓ ରାଜ୍ୟ ସରକାରଙ୍କୁ ସବୁର ହିସାବ ମାଗିବେ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

Related Posts