ଦେଶରେ ଏବେ ମହାମାରୀ କରୋନା ଉର୍ଧ୍ଵ ମୁଖି ଥିବା ବେଳେ, ସରକାରଙ୍କ ପକ୍ଷରୁ କଟକଣା ଜାରି କରଯାଇଛି | ଦେଶରେ ନାଇଟ କରଫୁ ଠୁ ଆରମ୍ଭ କରି ଲକଡାଉନ ଓ ସଟଡାଉନ ଜାରି କରାଯାଇଛି | ବଢୁଥିବା ସଂକ୍ରମଣ ଏବେ ଚିନ୍ତାରେ ପକେଇ ଦେଇଥିବା ବେଳେ ଗୁଜରାଟରେ ଖୋଦ ଶାସକ ଦଳର ନେତା ଏହି କଟକଣାର ଧଜିଆ ଉଡ଼ାଇଛନ୍ତି। କଟକଣା ସତ୍ତ୍ୱେ ବିଜେପି ନେତା ଜଣଙ୍କ ଥାପି ଜିଲ୍ଲାରେ ଗୋଟିଏ ବାହାଘର ପାର୍ଟି ଆୟୋଜନ କରିଥିଲେ।
ଏଥିରେ ଡିଜେ ବାଜିଥିଲା। ଡିଜେ ସହ ତାଳ ଦେଇ ହଜାର ହଜାର ଲୋକ ନାଚୁଥିବାର ଭିଡିଓ ସାମ୍ନାକୁ ଆସିଛି। ଡ୍ୟାନ୍ସ ବେଳେ କାହା ମୁହଁରେ ମାସ୍କ ନଥିଲା। ସେହିପରି ସାମାଜିକ ଦୂରତା ନିୟମକୁ ସମସ୍ତେ ଫୁ’ କରି ଦେଇଥିଲେ। ଏହି ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଗୁଜରାଟ ସରକାର ଜାରି କରିଥିବା ଗାଇଡଲାଇନ ଅନୁଯାୟୀ, ବାହାଘର କାର୍ଯକ୍ରମରେ ସର୍ବାଧିକ ୧୫୦ ଜଣ ଲୋକ ଯୋଗ ଦେଇପାରିବେ। ହେଲେ ତାପି ଜିଲ୍ଲା ଅନ୍ତର୍ଗତ ଡୋଲଭାନ ବ୍ଲକରେ ଏହି ନିୟମକୁ ଖୋଦ ବିଜେପି ନେତା ସୁନନ୍ଦା ବେଖାତିର କରିଛନ୍ତି।
ସେ ବାହାଘର ପାଇଁ ବିରାଟ ପାର୍ଟିର ଆୟୋଜନ କରିଥିଲେ। ଏଥିରେ ହଜାର ହଜାର ଲୋକ କରୋନା କଟକଣାକୁ ଭୁଲି ସାମିଲ ହୋଇଥିଲେ ଓ ଡ୍ୟାନ୍ସ ବି କରିଥିଲେ। ଏହାର ଭିଡିଓ ଭାଇରାଲ ହେଉଥିଲେ ମଧ୍ୟ ସରକାର କିମ୍ବା ବିଜେପି ନେତା ସୁନନ୍ଦା ଏ ସମ୍ପର୍କରେ ଏଯାଏ ମୁହଁ ଖୋଲି ନାହାନ୍ତି। ପୁଲିସ୍ ଭାଇରାଲ ଭିଡିଓକୁ ଆଧାର କରି ତଦନ୍ତ ଆରମ୍ଭ କରିଛି।
ଗତ ୨୪ ଘଣ୍ଟାରେ ଗୁଜରାଟରେ ୧୭,୧୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୧୦ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି। ଦିନକୁ ଦିନ ସଂକ୍ରମଣ ବଢ଼ୁଥିବା ବେଳେ ଏପରି ଡିଜେ ପାର୍ଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।