ପୁରୀ(ସତ୍ୟପାଠ ବ୍ୟୁରୋ): ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରୁଥିବା ବେଳେ ଅଶାନ୍ତ ହୋଇପଡିଛି ପୁରୀ। ହୋଟେଲ ମାଲିକଙ୍କୁ ବିଭତ୍ସ ହତ୍ୟା। ଗତକାଲି ବିଳମ୍ବିତ ରାତିରେ  ଜଣେ ହୋଟେଲ ମାଲିକଙ୍କୁ ନିର୍ମମ ହତ୍ୟା କରାଯାଇଛି। ମୃତ ବ୍ୟକ୍ତି ଜଣକ ହେଲେ ପବିତ୍ର ନାୟକ। ବଳିଆପଣ୍ଡା ଥାନା ଅଞ୍ଚଳରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଅନ୍ୟପଟେ ଏହି ଘଟଣାରେ ଅଭିଯୁକ୍ତ ଚନ୍ଦନ ପଲାରକୁ ବଳିଆପଣ୍ଡା ଥାନା ପୋଲିସ ଏନକାଉଣ୍ଟର କରିଛି। ଅଭିଯୁକ୍ତର ଘର ପୁରୀ ଚକ୍ରତୀର୍ଥ ରୋଡ ବୋଲି ଜଣାପଡିଛି। ଚନ୍ଦନର ବାମ ଗୋଡରେ ଗୁଳି ବାଜିଛି। ଏହାପରେ ଅଭିଯୁକ୍ତ ଚନ୍ଦନକୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା। ବଳିଆପଣ୍ଡା ଥାନା ଅଞ୍ଚଳରେ ଥିବା ଏକ ହୋଟେଲ ମାଲିକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ମୃତକ ପବିତ୍ର ନାୟକ ବଳିଆପଣ୍ଡା ଅଞ୍ଚଳରେ ମନୋରମା ନାମକ ଏକ ହୋଟେଲ ଚଳାଉଥିଲେ। ଏହି ହତ୍ୟାକାଣ୍ଡ ପରେ ସ୍ଥାନୀୟ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ଚନ୍ଦନ ପଲାରକୁ ଏନକାଉଣ୍ଟର କରିଛି ପୋଲିସ।  ତେବେ କାହିଁକି ଏହି ହତ୍ୟାକାଣ୍ଡ ଘଟିଛି ତାହାର କାରଣ ଅସ୍ପଷ୍ଟ ରହିଛି ଓ ଏନେଇ ତଦନ୍ତ ଆରମ୍ଭ ହୋଇଛି। ପୋଲିସ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଏବଂ ତଥ୍ୟକୁ ଆଧାର କରି ଛାନଭିନ ଜାରି ରଖିଛି। ଏହାସହ ପୋଷ୍ଟମର୍ଟମ ରିପୋର୍ଟ ଓ ପ୍ରାଥମିକ ତଦନ୍ତ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜଣାପଡିଛି।