
ପୁଣି ଚର୍ଚ୍ଚାରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ଏବେ ତାଙ୍କ ଭାଇ କୁ ନେଇ ଚର୍ଚ୍ଚାରେ ଆସିଛନ୍ତି ଅନୁଭବ । ଅନୁଭବଙ୍କ ଭାଇ ଅନୁପ୍ରାସ ମହାନ୍ତିଙ୍କ ବିରୋଧରେ ଜମି ଚଞ୍ଚକତା କରିଥିବା ନେଇ ଅଭିଯୋଗ ଆସିଛି। ଏକ ବିବାଦୀୟ ଜମିକୁ ବ୍ୟାଙ୍କରେ ବନ୍ଧକ ରଖି ୠଣ ନେଇଥିବା କଟକ ନେତାଜୀ ସଂଘ ଏହି ଅଭିଯୋଗ ଆଣିଛି ।
ସାଂସଦ ଅନୁଭବଙ୍କ ଭାଇ ଅନୁପ୍ରାସଙ୍କ ବିରୋଧରେ ଜମି ଚଞ୍ଚକତା ଅଭିଯୋଗ ଘଟଣାରେ ବ୍ୟାଙ୍କ କର୍ତ୍ତୃପକ୍ଷ କହିଛନ୍ତି ଯେ, ୠଣ ଦେବା ସମୟରେ ସବୁ କାଗଜପତ୍ର ଠିକ୍ ଭାବରେ ଯାଞ୍ଚ କରାଯାଇ ଫିଲ୍ଡ ଭିଜିଟ କରାଯିବା ସହ ଆଇନ ତର୍ଜମା ଅନୁସାରେ ଋଣ ଦିଆଯାଇଛି । ଦରକାର ପଡିଲେ ସୋସାଇଟି ଆଇନ ଅନୁସାରେ ବ୍ୟାଙ୍କ ଅନୁପ୍ରାସଙ୍କ ମାଲିକାନାରେ ଥିବା ଅନ୍ୟ ସମ୍ପତ୍ତି ମଧ୍ୟ ବ୍ୟାଜାପ୍ତି କରିପାରେ ବୋଲି କହିଛନ୍ତି ବ୍ୟାଙ୍କ ମ୍ୟାନେଜର । ସୂଚନା ଅନୁସାରେ କଟକ ନେତାଜୀ ସଂଘକୁ ୧୯୮୦ ମସିହାରେ ସରକାର ଭେଷ୍ଟିଙ୍ଗ ଆଇନ ଅନୁଯାୟୀ ୩୬୫ କେସ ନମ୍ବର ଅନୁସାରେ ୫୦୦ ଡିସିମିଲ ଜମି ଯୋଗାଇ ଦେଇଥିଲେ । ସେହି ଜମିରେ ସଂଘ ପକ୍ଷରୁ ପାଠାଗାର, କ୍ଲବ ଘର ନିର୍ମାଣ ହେବା ସହ ସଂଘ ଏହି ଜମିକୁ ବ୍ୟବହାର କରି ଆସୁଛି । ତେବେ କୌଣସି କାରଣରୁ ଜମିର ସେଟଲମେଣ୍ଟ ହୋଇପାରିନଥିବାରୁ କିଛି ଜମି ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିଥିଲା ଏହି ଜମି ଉପରେ। ଜମିକୁ ଜାଲିଆତି କରି ମାଫିଆ ଏହାକୁ ନିଜ ନାଁରେ କରି ବିକ୍ରି ଖରିଦ କରିଥିଲେ। ଏହା ଜଣାପଡିବା ପରେ ସଂଘ ପକ୍ଷରୁ କୋର୍ଟରେ ମାମଲା ବିଚାରାଧୀନ ରହିଛି। ତେବେ ସେହି ବିବାଦୀୟ ଜମିରୁ ୪୦ ଡିସିମିଲ ଜମି କିଣି ବନ୍ଧା ରଖି ୨୦୧୩ ଅକ୍ଟୋବର ୮ ତାରିଖରେ ଅନୁପ୍ରାସ କଟକ ଗଣ୍ଡରପୁର ଅର୍ବାନ କୋପେରେଟିଭ ବ୍ୟାଙ୍କ ଶାଖାରୁ ୨୪ ଲକ୍ଷ ଟଙ୍କା ଋଣ ନେଇଥିଲେ।
ଏହା ବଢ଼ି ବଢ଼ି ଏବେ ୬୨ଲକ୍ଷ ଟଙ୍କା ଅନାଦେୟ ପରିମାଣ ହୋଇଛି । ଋଣ ପରିଶୋଧ ନକରିବାରୁ ବ୍ୟାଙ୍କ ସେ ଜମିକୁ ନିଲାମ ଘୋଷଣା କରିବା ସହ ବିଜ୍ଞପ୍ତି ପ୍ରକାଶ କରିବା ପରେ ସତ ଜଣାପଡିଥିଲା । ତେବେ ଜମି ଦଖଲରେ ଥିବା ନେତାଜୀ ସଂଘ ଜାଲିଆତି ହୋଇଥିବା ଜମିକୁ ସରକାରୀ ଖାତାକୁ ଫେରାଇ ଏହାର ବିକାଶ କରିବା ପାଇଁ ଦାବି କରିଛି ।