
ସାରା ରାଜ୍ୟରେ ଚାଲିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଆଜି 73 ପ୍ରତିଶତ ମତଦାନ ସହ ଶେଷ ହୋଇଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଏହାସହିତ ଯାଜପୁର ଜିଲ୍ଲା ନଗଡରେ ଦୀର୍ଘ ୨୦ ବର୍ଷ ପରେ ମତଦାନ ସାବ୍ୟସ୍ତ କରିଛନ୍ତି । ଆଜି ହୋଇଥିବା ଭୋଟ ଗ୍ରହଣରେ ନଗଡାରେ ୮୩ ପ୍ରତିଶତ ମତଦାନ ହୋଇଛି । ଏନେଇ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ସୂଚନା ଦେଇଛନ୍ତି ।
ସେହିପରି ମାଓପ୍ରବଣ ନିୟମଗିରି ତ୍ରିଲୋଚନପୁରରେ ବି ୮୦ ପ୍ରତିଶତ ମତଦାନ ହୋଇଛି । ଯୋଗାଯୋଗ ସମସ୍ୟା ଯୋଗୁଁ ଉଭୟ ସ୍ଥାନରେ ଭୋଟ ହୋଇପାରୁନଥିଲା । ମାତ୍ର ଯୋଗାଯୋଗ ସମସ୍ୟାର ସମାଧାନ ହେଲା ପରେ ଦୀର୍ଘ ୨୦ ବର୍ଷ ପରେ ଭୋଟ ଦେଇଛନ୍ତି ସେଠାକାର ବାସିନ୍ଦା । ଦୀର୍ଘ ଦିନ ପରେ ଭୋଟ ଦେବା ପରେ ଉଭୟ ଗ୍ରାମବାସୀ ସେମାନଙ୍କର ଖୁସି ଜାହିର କରିଛନ୍ତି ।
ମୋଟ ୨୭ ଜିଲ୍ଲାର ୬୪ଟି ବ୍ଲକର ୧୨୫୪ଟି ଗ୍ରାମ ପଞ୍ଚାୟତରେ ୧୬୩ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୧୭,୦୮୯ ବୁଥରେ ମତଦାନ ଶେଷ ହୋଇଛି ।
ଏହି ପର୍ଯ୍ୟାୟରେ ମୋଟ ୫୧ ଲକ୍ଷ ୩୧ ହଜାରରୁ ଅଧିକ ଭୋଟର ଥିବା ବେଳେ ରାଜ୍ୟରେ ମୋଟ ୭୩ ପ୍ରତିଶତ ମତଦାନ ହୋଇଛି । ସେହିପରି ମୋଟ ୩୧୪ ବ୍ଲକ ମଧ୍ୟରୁ ୨୬୬ ବ୍ଲକରେ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି । ନିର୍ବାଚନ ଶେଷ ହେବା ପରେ ଭୋଟ ବାକ୍ସଗୁଡିକୁ ଷ୍ଟ୍ରଙ୍ଗ ରୁମରେ ସୁରକ୍ଷିତ ଭାବେ ରଖାଯାଇଛି ।