ବରଗଡ଼(ସତ୍ୟପାଠବ୍ୟୁରୋ): ମରିଗଲାଣି ମାନବିକତା। କେହି କାହାର ସହାୟତା ପାଇଁ ଆଗେଇ ଆସୁ ନାହାନ୍ତି। ପ୍ରଶାସନ କିମ୍ବା ସ୍ୱାସ୍ଥ୍ୟ ବିଭାଗର ଚେତା ପଶୁ ନଥିବାବେଳେ ସ୍ଥାନୀୟ ଲୋକଙ୍କ ବି ମାନବିକତା ହଜିଗଲାଣି। ଶବ ନେବାକୁ ମେଡିକାଲରେ ମହାପ୍ରୟାଣ ଗାଡ଼ି ନ ମିଳିବାରୁ ଜଣେ ବୃଦ୍ଧାଙ୍କ ମୃତଦେହ ସାଇକେଲରେ ବୋହି ନେବା ଭଳି ଖବର ସାମନାକୁ ଆସିଛି। ଜାତିଆଣ ବିବାଦ ଯୋଗୁଁ ଶବକୁ କେହି ଛୁଇଁ ନଥିବାବେଳେ ବରଗଡ଼ ଜିଲ୍ଲା ପଦ୍ମପୁର ପାଇକମାଳର କଣ୍ଟାପଡ଼ା ଗାଁରୁ ଏଭଳି ଖବର ଆସିଛି। ଯାହା ସାରା ରାଜ୍ୟରେ ଉଦବେଗ ପ୍ରକାଶ ପାଇଛି। ରାଜ୍ୟ ସରକାର ଗରିବ ଅସହାୟଙ୍କ ପାଇଁ ଶହ ଶହ ଯୋଜନା କରୁଥିବାବେଳେ ଏସବୁ ଯୋଜନା କାହା ପାଇଁ ବୋଲି ପ୍ରଶ୍ନ ଉଠିଛି। ଅନେକ ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରୁ ନଥିବାବେଳେ ମୃତ୍ୟୁ ପରେ ବି ସରକାରୀ ଯୋଜନାରେ ସୁବିଧା ନମିଳିବା ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବାରମ୍ବାର ଏମିତି ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନ କିମ୍ବା ସ୍ୱାସ୍ଥ୍ୟ ବିଭାଗର ଚେତା ପଶୁ ନଥିବା କୁହାଯାଉଛି। ଫଳରେ ସରକାରୀ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କଣ୍ଟାପଡ଼ା ଗାଁରେ ଜଣେ ବୃଦ୍ଧ ମହିଳା ଙ୍କ ମୃତ୍ୟୁ ପରେ ଶବ ବହନ ପାଇଁ ଶବବାହକ ଗାଡ଼ି ନ ମିଳିବାରୁ ପରିବାର ଲୋକେ ଅସହାୟ ହୋଇପଡ଼ିଥିଲେ। ଶେଷରେ ମୃତକଙ୍କ ଘର ଲୋେକ ବାଧ୍ୟ ହୋଇ ବୃଦ୍ଧାଙ୍କ ମୃତଦେହକୁ ସାଇକେଲରେ ବୋହି ଶ୍ମଶାନକୁ ନେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, ବୃଦ୍ଧାଙ୍କ ଦୁଇ ପୁଅ ଦାଦନ ଯାଇ ଅନ୍ୟ ଜାତିରେ ବାହା ହୋଇଥିବାରୁ ଗାଁରେ ତାଙ୍କୁ ବାସନ୍ଦ କରାଯାଇଥିଲା। ଫଳରେ ବୃଦ୍ଧାଙ୍କ ମୃତ୍ୟୁ ପରେ ଶବ ସତ୍କାର ପାଇଁ ସାହି ଭାଇ ଆସିଲେନି। ଗରିବ ଓ ଅସହାୟ ପରିବାରମାନଙ୍କ ପାଇଁ ଥିବା ଶବବାହୀ ଯାନ ସେବା ସମୟରେ ଉପଲବ୍ଧ ନ ହେବା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ବାସିନ୍ଦା ମାନେ ଏଭଳି ଘଟଣାର ପୁନରାବୃତ୍ତି ରୋକିବା ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ସହ ଗ୍ରାମାଞ୍ଚଳରେ ଶବବାହୀ ଯାନ ସୁବିଧାକୁ ସୁଦୃଢ଼ କରିବାକୁ ଦାବି କରିଛନ୍ତି। ଏଠାରେ ପ୍ରକାଶ ଥାଉ କି, ୨୦୧୬ ମସିହାରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁରରେ ମହାପ୍ରୟାଣ ଗାଡ଼ି ନ ମିଳିବାରୁ ଦାନ ମାଝୀ କାନ୍ଧରେ ପତ୍ନୀଙ୍କ ମୃତଦେହ ବୋହି ୧୦ କିମି ଯାଏ ଚାଲିଥିଲେ। ଯାହା ସାରା ଦେଶରେ ଲଜ୍ଜିତ କରିଥିବା ସତ୍ତ୍ବେ ସ୍ଥାନୀୟ ପ୍ରଶାସନ ଚେତୁ ନଥଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଆଜିର ଡିଜିଟାଲ ଯୁଗରେ ବି ପ୍ରଶାସନର ଅପାଗତା ଯୋଗୁଁ ଏଭଳି ଘଟଣା ବାରମ୍ବାର ହେଉଥିବାରୁ ବିଶ୍ବ ଦରବାରରେ ଆମକୁ ଲଜ୍ଜିତ ହେବାକୁ ପଡ଼ୁଛି।