ଭୁବନେଶ୍ୱର(ସତ୍ୟପାଠବ୍ୟୁରୋ): ଧୀରେ ଧୀରେ ଆଗକୁ ବଢ଼ୁଛି ମୌସୁମୀ। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ତେବେ ୨୮ ତାରିଖରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ବଢ଼ିପାରେ ବୋଲି ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି । ପାଣିପାଗ ବିଭାଗର ଆକଳନ କହୁଛି, ସୋମବାର ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ଭାରି ବର୍ଷା ହୋଇପାରେ । ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । ୫୦ରୁ ୬୦ କିମି ବେଗରେ ପବନ ବି ବହିପାରେ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର,କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ତେବେ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗୁଳୁଗୁଳି ଜାରି ରହିବ ବୋଲି ପୂର୍ବାନୁମାନ କରାଯାଇଛି । ୨୩, ୨୪ ଓ ୨୫ ତାରିଖରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ରବିବାର ସୋନପୁରରେ ୪୯.୨ ମିମି ବର୍ଷା ରେକର୍ଡ ହୋଇଛି । ନୟାଗଡ଼ରେ ୫ମିମି, ମାଲକାନଗିରିରେ ୩.୨, ସମ୍ବଲପୁରରେ ୨.୪, ବରଗଡ଼ରେ ୨.୨ ମିମି ବର୍ଷା ହୋଇଛି। ରବିବାର ଝାରସୁଗୁଡ଼ାକୁ ଛାଡି ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ତଳେ ଥିଲା ।