ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ମାମଲାରେ ୨ ଷଡ଼ଯନ୍ତ୍ରକାରୀଙ୍କ ସମେତ ୪ ଜଣଙ୍କୁ ଅଟକ ରଖିଲା ପୋଲିସ୍

ପୋଲିସ ହାତରେ ଲାଗିଲା ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀଙ୍କ ହତ୍ୟାକାରୀ । ଏହି ଘଟଣାରେ ପୋଲିସ ୨ ଷଡ଼ଯନ୍ତ୍ରକାରୀଙ୍କ ସମେତ ୪ ଜଣଙ୍କୁ ଅଟକ ରଖିଛି । ସେମାନଙ୍କ ମଧ୍ୟରେ ରହିଛନ୍ତି କାଳିଆ ସିଂହାରୀ ଓ ଦୋଳଗୋବିନ୍ଦ । ପୁଣି ଥରେ ପ୍ରତିଶୋଧ ପାଇଁ ହତ୍ୟା ଦିଗ ଆଡକୁ ଇଙ୍ଗିତ କରିଛି ପୁରୀ ପୁଲିସ ।

ସୂଚନାଯୋଗ୍ୟ, ଗତ ୧୬ ତାରିଖ ଦିନ ପୁରୀରେ ଘଟିଥିବା ଏହି ଗୁଳିକାଣ୍ଡ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ସ୍ପଷ୍ଟ ଦିବାଲୋକରେ ସହର ମଝିରେ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଘଟିଥିଲା ଏହି ଗୁଳିକାଣ୍ଡ । ସୁଆର ଓ ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଦୁର୍ବୃତ ମାନେ ଗୁଳି କରି ହତ୍ୟା କରିଥିଲେ ।

ଏନେଇ କୃଷ୍ଣ ପ୍ରତିହାରୀଙ୍କ ଭାଇ ନରସିଂହ ପ୍ରତିହାରୀ ପୁରୀ ଟାଉନ୍ ଥାନାରେ ଦାୟର କରିଥିବା ଏଫଆଇଆର୍ରେ ଟୁଟୁ, କୁନମୁନ, ବାବା ମହାପାତ୍ର, ଓ ହରିପଣ୍ଡା ଗୁଳିମାଡ଼ କରିଥିବା ଉଲ୍ଲେଖ କରିଥିଲେ । ରକ୍ତ ଜୁଡ଼ୁବୁଡ଼ କାଗଜ, ୩ ହଳ ଚପଲ ଓ ୪ଟି ଖୋକା ଜବତ କରିଥିଲା ଫରେନସିକ୍ ଟିମ୍ ଓ ପୁଲିସ । ଏହାକୁ ଆଧାର କରି ତଦନ୍ତ ଆଗକୁ ବଢ଼ାଇଥିଲା ପୁଲିସ । ୨୦୧୨ରେ ପୁରୀର ବହୁଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟାକାଣ୍ଡ ମାମଲାରେ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ନାଁରେ ଅଭିଯୋଗ ହୋଇଥିଲା । ତାଙ୍କୁ ଏହି ହତ୍ୟାକାଣ୍ଡ ଘଟଣାର ଅନ୍ୟତମ ଷଡଯନ୍ତ୍ରକାରୀ ବୋଲି କୁହାଯାଉଥିଲା । ପୋଲିସ ତାଙ୍କୁ ଗିରଫ ବି କରିଥିଲା ।

Related Posts