ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗତ ଜୁଲାଇ ୧୯ ତାରିଖରେ ପୀଡ଼ିତାଙ୍କ ଦେହରେ ଲାଗିଥିଲା ନିଆଁ। ଆଉ ଠିକ୍ ଦୁଇ ସପ୍ତାହ ପରେ ଆଜି ସେ ଆଖି ବୁଜିଛନ୍ତି। ତାଙ୍କ ମୃତ୍ୟୁ ପରେ ଆଜି ଓଡ଼ିଶା ପୁଲିସ ଦେଇଛି ବଡ଼ ସୂଚନା। ତେବେ ତଦନ୍ତ ଅନୁଯାୟୀ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନ ଥିବା ସ୍ପଷ୍ଟ ହୋଇଛି। ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ସମସ୍ତଙ୍କୁ ଅନୁରୋଧ, ଦୁଃଖଦ ମୁହୂର୍ତ୍ତରେ ସମ୍ବେଦନଶୀଳ ମନ୍ତବ୍ୟ ନ ଦିଅନ୍ତୁ ବୋଲି କହିଥିବର୍ ଦେଖିବାକୁ ମିଳିଛି । ସେପଟେ ଗତ ଜୁଲାଇ ୨୦ ତାରିଖରେ ତାଙ୍କୁ ଭୁବନେଶ୍ୱରରୁ ଦିଲ୍ଲୀ ଏମ୍ସକୁ ଏୟାର ଲିଫ୍ଟ କରାଯାଇଥିଲା। ଆସନ୍ତାକାଲି ଦିଲ୍ଲୀ ଏମ୍ସରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯିବ।
ଶବ ବ୍ୟବଚ୍ଛେଦ ପରେ ତାଙ୍କ ମୃତଦେହକୁ ଓଡ଼ିଶା ଅଣାଯିବ ବୋଲି ସୂଚନା ମିଳିଛି। ସେପଟେ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି। ସେ ତାଙ୍କ ‘ଏକ୍ସ’ରେ ଲେଖିଛନ୍ତି, ବଳଙ୍ଗା ଘଟଣାରେ ପୀଡ଼ିତା ଝିଅଟିର ମୃତ୍ୟୁ ଖବର ଶୁଣି ମୁଁ ଗଭୀର ଭାବେ ମର୍ମାହତ। ସରକାରଙ୍କ ସମସ୍ତ ପ୍ରୟାସ ଏବଂ ଏମ୍ସ ଦିଲ୍ଲୀରେ ବିଶେଷଜ୍ଞ ଡାକ୍ତରୀ ଦଳଙ୍କ ଅହୋରାତ୍ର ଚେଷ୍ଟା ସତ୍ତ୍ୱେ ତାଙ୍କ ଜୀବନ ରକ୍ଷା କରାଯାଇ ପାରିଲା ନାହିଁ। ମୁଁ ଝିଅଟିର ଅମର ଆତ୍ମାର ସଦଗତି କାମନା କରୁଛି ଏବଂ ଏହି ଅପୂରଣୀୟ କ୍ଷତିକୁ ସହିବା ପାଇଁ ତାଙ୍କ ପରିବାରକୁ ଶକ୍ତି ମିଳୁ ବୋଲି ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଛି।





