
ଟାଙ୍ଗୀ ଥାନା ଅନ୍ତର୍ଗତ ନପଙ୍ଗ ପଞ୍ଚାୟତ କେଶରପୁର ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ । ସ୍ତ୍ରୀଙ୍କୁ ନେବାପାଇଁ ଆସି ଶ୍ବଶୁରଘରେ ଉତ୍ପାତ ଖେଲାଇଛି ଜ୍ୱାଇ । ମାଡପିଟ୍ ଓ ଭଙ୍ଗାରୁଜା କରିବା ସହ ତାଙ୍କ ଆକ୍ରମଣରେ ଶ୍ବଶୁରଘରର ୪ଜଣ ପଡ଼ୋଶୀ ଗୁରୁତର ଆହତ ହୋଇଛନ୍ତି।
ଖବର ମୁତାବକ, କେଶରପୁର ଗ୍ରାମର ପରମାନନ୍ଦ ମଲ୍ଲିକଙ୍କ ଘରେ ମଙ୍ଗଳବାର ଅପରାହ୍ନରେ ତାଙ୍କ ଜ୍ୱାଇଁ କେଦାର ମଲ୍ଲିକ(୨୭) ପହଞ୍ଚିଥିଲେ। ନିଜ ପତ୍ନୀଙ୍କୁ ନେବା ପାଇଁ ଆସିଥିବା କେଦାର କୌଣସି କାରଣକୁ ନେଇ ଶ୍ବଶୁରଘରେ ମାଡ଼ପିଟ୍ ଓ ଭଙ୍ଗାରୁଜା କରିଥିଲେ। ଭୟରେ ଶ୍ବଶୁର ପରମାନନ୍ଦ ଘରୁ ବାହାରକୁ ପଳାଇ ଆସି ପଡ଼ୋଶୀମାନଙ୍କୁ ଏହା ଜଣାଇଥିଲେ। ବୁଝାସୁଝା କରିବାକୁ ଆସିଥିବା ପଡ଼ୋଶୀ ଗୋଲଖ ମଲ୍ଲିକ, ତ୍ରିନାଥ ବେହେରାଙ୍କୁ କେଦାର କାଚବୋତଲ ଭାଙ୍ଗି ଆକ୍ରମଣ କରିଥିଲେ। ଖବର ପାଇ ଟାଙ୍ଗୀ ପୁଲିସ ଘଟଣାସ୍ଥଳରେ ପହଞ୍ଚିବାରୁ କେଦାର ଘର ଭିତରେ ପଶିଯାଇ ବାହାରକୁ କାଚବୋତଲ ଓ ଟେକାମାଡ଼ କରିଥିଲେ।
ପୁଲିସ ଉପସ୍ଥିତିରେ କେଦାରଙ୍କୁ ବୁଝାଇବାକୁ ଯାଇଥିବା ଗ୍ରାମର ଦୁଇ ମୁରବି ରବୀନ୍ଦ୍ର କୁମାର ମହାପାତ୍ର, ନିବାସ ଚନ୍ଦ୍ର ବଳଙ୍କୁ କେଦାର ଶାବଳରେ ଆକ୍ରମଣ କରିଥିଲେ। ରବୀନ୍ଦ୍ରଙ୍କ ହାତ ଓ ନିବାସଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇ ଉଭୟ ରକ୍ତାକ୍ତ ହୋଇଥିଲେ। ସ୍ଥାନୀୟ ଲୋକେ ଗୁରୁତର ଥିବା ରବୀନ୍ଦ୍ର ଓ ନିବାସଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ପଠାଇଥିବା ବେଳେ ପୁଲିସ୍ ଘଟଣାସ୍ଥଳରୁ କେଦାରଙ୍କୁ ଥାନାକୁ ଉଠାଇ ଆଣିଛି।
କେଦାର ଜଗତପୁର ଥାନା ଆତୋଡା ଗ୍ରାମର ସନାତନ ମଲ୍ଲିକଙ୍କ ପୁଅ। ସେ କେଶରପୁର ଗ୍ରାମର ପରମାନନ୍ଦ ମଲ୍ଲିକଙ୍କ ଝିଅ ଗେହ୍ଲିଙ୍କୁ ବିବାହ କରିଛନ୍ତି। ତେବେ, କୌଣସି କାରଣ କୁ ନେଇ ଉଭୟ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡ଼ା ହୋଇଥିଲା । ଫଳରେ ଗେହ୍ଲି ବାପଘରକୁ ପଳେଇ ଆସିଥିଲେ । ଦୀର୍ଘଦିନ ହେବ ବାପ ଘରେ ରହୁଥିଲେ।