ସ୍ନାନ ଯାତ୍ରା ପରେ ଜ୍ବରରେ ପୀଡ଼ିତ ମହାପ୍ରଭୁ। ଶ୍ରୀଜିଉଙ୍କ ଗୁପ୍ତସେବାରେ ଲାଗିଛନ୍ତି ଦଇତାପତି। ଜ୍ବରାକ୍ରାନ୍ତ ଠାକୁରଙ୍କ ଉପଶମ ପାଇଁ ଅଣସର ପଞ୍ଚମୀରେ ଲାଗି ହୁଏ ଫୁଲୁରୀ ତେଲ। ଅଣସର ବା ଅନବସର ପଞ୍ଚମୀ ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଣସର (ଅସୁସ୍ଥତା) ସମୟର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ପବିତ୍ର ତିଥି। ଯାହା ଆଷାଢ଼ ମାସ କୃଷ୍ଣପକ୍ଷ ପଞ୍ଚମୀରେ ପାଳିତ ହୁଏ । ଏହି ଦିନ ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ପାରମ୍ପରିକ ରୀତିନୀତି ଅନୁଯାୟୀ ‘ଫୁଲୁରୀ ତେଲ ଲାଗି’ କରାଯାଇଥାଏ। ସ୍ନାନପୂର୍ଣ୍ଣିମା ପରେ ଜ୍ୱରାକ୍ରାନ୍ତ ହୋଇଥିବା ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲଗାଯାଇଥାଏ, ଯାହାଦ୍ୱାରା ଧୀରେ ଧୀରେ ମହାପ୍ରଭୁଙ୍କ ଜ୍ୱର ଉପଶମ ହୋଇଥାଏ। ଏହି ଫୁଲୁରୀ ତେଲ ପ୍ରାଚୀନ ପରମ୍ପରା ଅନୁଯାୟୀ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଦ୍ୱାରା ସ୍ଥାପିତ ବଡ଼ ଓଡ଼ିଆ ମଠ ଦ୍ୱାରା ଯୋଗାଇ ଦିଆଯାଏ । ଏହା ଏକ ଶୋଭାଯାତ୍ରାରେ ଶ୍ରୀମନ୍ଦିରକୁ ବିଜେ କରାଯାଇଥାଏ। ବୈଦ୍ୟମାନଙ୍କ ପରାମର୍ଶକ୍ରମେ ଅଣସର ପିଣ୍ଡିରେ ଏହି ଚିକିତ୍ସା ସେବା ପ୍ରଦାନ କରାଯାଏ। ଫୁଲୁରୀ ତେଲ ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଣସର (ଅସୁସ୍ଥତା) ସମୟରେ ବ୍ୟବହୃତ ଏକ ବିଶେଷ ଆୟୁର୍ବେଦିକ ମହୌଷଧି। ଯାହାକୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀଅଙ୍ଗର ଦରଜ ଓ ଜ୍ୱର ଉପଶମ ପାଇଁ ଅଣସର ପଞ୍ଚମୀ ଦିନ ଏହି ତେଲ ଲାଗି କରାଯାଇଥାଏ ।

ଏହି ପବିତ୍ର ତେଲର ପ୍ରସ୍ତୁତି ପ୍ରଣାଳୀ ଏବଂ ସାମଗ୍ରୀ ଅତ୍ୟନ୍ତ ସ୍ୱତନ୍ତ୍ର:

ଏହି ତେଲ ପ୍ରସ୍ତୁତି ପାଇଁ ବିଭିନ୍ନ ପ୍ରାକୃତିକ ଓ ସୁବାସିତ ଦ୍ରବ୍ୟ ବ୍ୟବହାର କରାଯାଏ। ଶୁଦ୍ଧ ଘଣା-ପେଡ଼ା ରାଶି ତେଲ ସହ ସୁଗନ୍ଧିତ ପୁଷ୍ପ ତଥା ମାଳତୀ, କିଆ, କେତକୀ, ବଉଳ, ଚମ୍ପା, ମଲ୍ଲୀ, ଜୁଇ ଏବଂ ଜାଇ ଆଦି ପ୍ରାୟ ୧୪ ପ୍ରକାରର ସୁବାସିତ ଫୁଲ ସହ ଔଷଧୀୟ ଚେରମୂଳ ଓ ଦ୍ରବ୍ୟ- ବେଣା ଚେର, କୃଷ୍ଣଭୋଗ ଧାନ, ଶ୍ୱେତ ଚନ୍ଦନ, କର୍ପୂର ଏବଂ ୭ ପ୍ରକାରର ଗୁପ୍ତ ଆୟୁର୍ବେଦିକ ଚେରମୂଳି ଦ୍ବାରା ପ୍ରସ୍ତୁତ କରାଯାଇଥାଏ।

ଫୁଲୁରୀତେଲ ପ୍ରସ୍ତୁତି ପ୍ରଣାଳୀ

ପ୍ରତିବର୍ଷ ରଥଯାତ୍ରା ସମୟର ହେରାପଞ୍ଚମୀ ତିଥିରେ ଏହି ସମସ୍ତ ସାମଗ୍ରୀକୁ ରାଶି ତେଲ ସହ ଏକ ମାଟି ପାତ୍ରରେ ମିଶାଇ, ତାର ମୁହଁ ବନ୍ଦ କରି ମାଟି ତଳେ ପ୍ରାୟ ବର୍ଷେ କାଳ ପୋତି ରଖାଯାଏ । ବର୍ଷସାରା ମାଟି ତଳେ ରହିବା ଫଳରେ ସମସ୍ତ ଫୁଲ ଓ ଚେରମୂଳର ଔଷଧୀୟ ଗୁଣ ତେଲ ସହିତ ସମ୍ପୂର୍ଣ୍ଣ ଭାବେ ମିଶି ଏହାକୁ ଏକ ସୁବାସିତ ମହୌଷଧିରେ ପରିଣତ କରେ । ପରବର୍ତ୍ତୀ ବର୍ଷର ସ୍ନାନପୂର୍ଣ୍ଣିମା ପରେ ଏହାକୁ ମାଟିରୁ ବାହାର କରି କପଡ଼ାରେ ଭଲ ଭାବେ ଛାଣି ଶ୍ରୀମନ୍ଦିରକୁ ପଠାଯାଏ । ପୁରୀର ପ୍ରସିଦ୍ଧ ବଡ଼ ଓଡ଼ିଆ ମଠ ପକ୍ଷରୁ ପ୍ରତିବର୍ଷ ଏହି ତେଲ ଶ୍ରୀମନ୍ଦିରକୁ ଯୋଗାଇ ଦିଆଯାଏ । ସାଧାରଣ ଅଣସର ସମୟରେ ୬ ସେର ଏବଂ ମହାଅଣସର (ନବକଳେବର) ବର୍ଷରେ ୯ ସେର ଫୁଲୁରୀ ତେଲ ଲାଗି ହେବାର ବିଧି ରହିଛି।