ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ମହାପ୍ରଭୁ ଏବେ ଜ୍ୱରରେ ପୀଡ଼ିତ। ଏହି ସମୟରେ ୧୫ ଦିନ ପାଇଁ ସେ ରତ୍ନସିଂହାସନ ଛାଡ଼ି ଶ୍ରୀମନ୍ଦିରର ଅଣସର ଘରେ ଗୁପ୍ତ ସେବାରେ ରହିବେ। ଏହି ସମୟରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପାଇଁ ବିଶେଷ ନୀତିକାନ୍ତି କରାଯାଇଥାଏ ।

ଅଣସର ଘରେ ଶ୍ରୀଜିଉଙ୍କ ସେବା :

ଗୁପ୍ତ ଉପଚାର: ମହାପ୍ରଭୁଙ୍କୁ ମାନବୀୟ ଲୀଳା ଅନୁଯାୟୀ ଜ୍ୱର ହୋଇଥାଏ ଏବଂ ଦଇତାପତି ସେବକମାନେ ତାଙ୍କର ଗୁପ୍ତ ସେବା କରିଥାନ୍ତି ।

ଔଷଧ ଓ ତେଲ ଲାଗି: ଜ୍ୱର ଉପଶମ ପାଇଁ ପ୍ରଭୁଙ୍କୁ ‘ଫୁଲୁରି ତେଲ’ ଓ ‘ଦଶମୂଳ ମୋଦକ’ ଭଳି ଔଷଧୀୟ ଉପଚାର କରାଯାଏ । ଏହା ସହିତ ପ୍ରଭୁଙ୍କୁ ବିଭିନ୍ନ ପ୍ରକାରର ଓଷ ଲାଗି କରାଯାଏ ।

‘ଫୁଲୁରି ତେଲ’ ଓ ‘ଦଶମୂଳ ମୋଦକ’ ହେବ ଲାଗି

ମାନବୀୟ ଲୀଳାରେ ଅଣସର ଠାକୁରମାନଙ୍କୁ ଯେପରି ଜ୍ବର ହୁଏ, ସେହିପରି ଜ୍ବରର ଉପଚାର ମଧ୍ୟ କରାଯାଏ । ଏଥିପାଇଁ ଆବଶ୍ୟକ ହୋଇଥାଏ “ଫୁଲୁରି ତେଲ’ ଓ “ଦଶମୂଳ ମୋଦକ’ ।

“ଫୁଲୁରି ତେଲ’ର ପ୍ରସ୍ତୁତି

“ଫୁଲୁରି ତେଲ’ର ପ୍ରସ୍ତୁତି ବିଧି ସ୍ୱତନ୍ତ୍ର । ଏହା ଏକ ପ୍ରକାରର ସୁବାସିତ ତେଲ । ଏହା ଘଣାପେଡ଼ା ରାଶି ତେଲରୁ ପ୍ରସ୍ତୁତ ହୋଇଥାଏ । ବେଣା ଚେର ଓ କୃଷ୍ଣଭୋଗ ଧାନ ସହିତ ମାଳତୀ, କିଆ, କେତକୀ ଓ ବଉଳ ଫୁଲ ପଡ଼ି ପ୍ରାକୃତିକ ପଦ୍ଧତିରେ ଏହାକୁ ପ୍ରସ୍ତୁତ କରାଯାଏ । ଏଥିପାଇଁ ପାଞ୍ଚସେର ରାଶି ତେଲ ଲାଗିଥାଏ । ତେଲ ଓ ଫୁଲ ଏହାର ମୁଖ୍ୟ ଉପାଦାନ ହୋଇଥିବାରୁ ଏହାକୁ “ଫୁଲୁରି ତେଲ’ କୁହାଯାଏ । ନବକଳେବର ବର୍ଷରେ ଏହି ତେଲର ପରିମାଣ ଦୁଇଗୁଣ ହୋଇଥାଏ । ମୁହଁ ବନ୍ଦ ମାଟିପାତ୍ରରେ ଏସବୁକୁ ରଖି ମାଟି ତଳେ ପୋତି ଦିଆଯାଏ । ପୂରା ବର୍ଷଟିଏ ମାଟି ଭିତରେ ରହିବା ପରେ ତାହାକୁ ବାହାର କରି, ଛାଣି “ଫୁଲୁରିଲାଗି’ ନୀତି ପାଇଁ ଶ୍ରୀମନ୍ଦିରକୁ ପଠାଯାଏ । ଆଷାଢ଼ କୃଷ୍ଣ ପଞ୍ଚମୀ ବା “ଅଣସର ପଞ୍ଚମୀ’ ଦିନ ଏହି ନୀତି ହୁଏ । ଓଡ଼ିଆ ଭାଗବତକାର ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ବଡ଼ଓଡ଼ିଆ ମଠ ଏହା ଯୋଗାଇ ଥାଆନ୍ତି । ଏହି ତେଲକୁ ଶ୍ରୀଅଙ୍ଗରେ ମାଲିସ୍ କଲେ, ଜ୍ୱରଜନିତ ଦେହ ଦରଜର ଉପଶମ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଅଣସର ପଞ୍ଚମୀର ଏହି ଫୁଲୁରିଲାଗି ପରେ, ଏକାଦଶୀ ଦିନ ‘ଦଶମୂଳ ମୋଦକ’ ଲାଗି ହୁଏ । ଏହି ମୋଦକ ଖାଇବା ପରେ ଠାକୁରମାନେ ସୁସ୍ଥ ହୁଅନ୍ତି ବୋଲି ବିଶ୍ୱାସ ଅଛି । ଏଥିପାଇଁ ଶ୍ରୀମନ୍ଦିରରେ “ବୈଦ୍ୟ ସେବା’ର ବ୍ୟବସ୍ଥା ରହିଛି । ଏହା ଅନୁସାରେ, ବୈଦ୍ୟ ସେବକ ବର୍ଷକେ ଥରେ, ଅଣସରବେଳେ, ନିଜ ଘରେ ଏହି ମୋଦକ ପ୍ରସ୍ତୁତ କରି ଯୋଗାଇଥାଆନ୍ତି । ଦଶମୀ ଦିନ ଶୁଦ୍ଧପୂତ ଭାବରେ ଏହାକୁ ପ୍ରସ୍ତୁତ କରି ଶ୍ରୀମନ୍ଦିରକୁ ଦିଅନ୍ତି ଏବଂ ଏକାଦଶୀ ଦିନ, ଅଣସର ଘରେ ଏହା ଠାକୁରମାନଙ୍କୁ ଲାଗି କରାଯାଏ । ଏହି ଦଶମୂଳ ମୋଦକ ସଂପୂର୍ଣ୍ଣ ଭାବରେ ଆୟୁର୍ବେଦୀୟ ପଦ୍ଧତିରେ ପ୍ରସ୍ତୁତ ହୋଇଥାଏ । ଏଥିପାଇଁ ଦଶଟି ବୃକ୍ଷର ଚେର, ମୂଳ ଓ ପତ୍ର ଆଦି ଆବଶ୍ୟକ ହୁଏ । ସେହି ଦଶଟିଦ୍ରବ୍ୟ ହେଉଛି- ବେଲ, ଗମ୍ଭାରୀ, ଅଙ୍କରାନ୍ତି, ଜଟାମାଂସୀ, ଫଣଫଣା, ଆଗବଥୁ, ଗୋଖରା, କୃଷ୍ଣପର୍ଣ୍ଣି (ପ୍ଲଶୀପର୍ଣ୍ଣି), ଶାଳପର୍ଣ୍ଣି ଓ ଲବିଂକୋଳି ।

ବୈଦ୍ୟ ସେବକଙ୍କ ଘରେ ‘ଦଶମୂଳ ମୋଦକ’ ପ୍ରସ୍ତୁତି

ଦ୍ରବ୍ୟଗୁଣ ଅନୁସାରେ “ବେଲ’ ଜ୍ୱର, କାଶ ଓ ସର୍ଦ୍ଦିରୋଗର ଉପଶମ ସହିତ ଅରୁଚି ଦୂର କରେ । ଏହା ବ୍ୟତୀତ ପାକସ୍ଥଳୀର ରୋଗ ନିବାରଣ ଓ ଜୀର୍ଣ୍ଣଶକ୍ତି ବୃଦ୍ଧିର କ୍ଷମତା ମଧ୍ୟ ସେଥିରେ ରହିଛି । “ଗମ୍ଭାରୀ’ ଆମଶୂଳ ଦୂରକାରୀ । ଶୋଷକ୍ଷୟ ଓ ଜ୍ୱରର ନିଦାନ ଗୁଣ ମଧ୍ୟ ଏଥିରେ ଅଛି । “ଅଙ୍କରାନ୍ତି’ କାଶ, ଚକ୍ଷୁରୋଗ ଓ ଶ୍ୱାସରୋଗ ନିବାରକ । “ଜଟାମାଂସୀ’ କାଶ, ଶ୍ୱାସକଷ୍ଟ ଓ ଉନ୍ମାଦ ଅପନୋଦନ କରିଥାଏ । “ଫଣଫଣା’ ଅତିସାର ଓ ସନ୍ନିପାତ ଜ୍ୱର ନିବାରଣ ସହିତ କଫରୋଗର ନିରାକରଣ କରେ । “ଆଗବଥୁ’ ଥଣ୍ଡାଜ୍ୱର, ଯକୃତରୋଗ, ପାକସ୍ଥଳୀର ସମସ୍ୟା ଓ ଆଣ୍ଠୁଗଣ୍ଠି ବାତରେ ଉପକାରୀ ହୋଇଥାଏ । “ଗୋଖରା’ ମୁଖ ଦୁର୍ଗନ୍ଧ ନାଶ କରିବା ସହିତ କଟିଶୂଳ ଦୂର କରେ । “କୃଷ୍ଣପର୍ଣ୍ଣି’ କଫଜନିତ ରୋଗ ଓ ନେତ୍ରରୋଗରେ ସୁଫଳ ପ୍ରଦାନ କରେ । “ଶାଳପର୍ଣ୍ଣି’ ଜ୍ୱର, ଶ୍ୱାସ ଓ ଅତିସାର ରୋଗରେ ଉପକାରୀ ହୋଇଥାଏ ଏବଂ “ଲବିଂକୋଳି’ ଶ୍ୱାସ ଓ କାଶ ରୋଗ ଅପନୋଦନ କରିଥାଏ ।

ଏହି ଦଶଟି ପ୍ରାକୃତିକ ଔଷଧୀୟ ସାମଗ୍ରୀକୁ ଖରାରେ ଶୁଖାଇ, ସମପରିମାଣରେ ମିଶାଇ ଗୁଣ୍ଡକରି, ନୂଆ ସଫା କନାରେ ଛାଣି ଏବଂ ଚିନି ଓ ଖୁଆରେ ପାଗ କରି ବୈଦ୍ୟ ସେବକ ଓ ତାଙ୍କର ପରିବାର ଦଶମୂଳ ମୋଦକ ପ୍ରସ୍ତୁତ କରନ୍ତି । ତାହାକୁ ଛୋଟଛୋଟ ଲଡ଼ୁପରି କରାଯାଇ, ତିନିଟି କୁଡ଼ୁଆରେ ସମ ପରିମାଣରେ ରଖି, ବୈଦ୍ୟ ସେବକ ଦଶମୀ ଦିନ ଶ୍ରୀମନ୍ଦିରର ଗାରଦ ଘରେ ଦିଅନ୍ତି । ଏକାଦଶୀ ଦିନ ତାହା ପ୍ରଭୁଙ୍କୁ ଲାଗି ହେବା ପରେ ସେମାନେ ଜ୍ୱରମୁକ୍ତ ହୋଇ ଶୀଘ୍ର ସୁସ୍ଥ ହୁଅନ୍ତି ।