ଅଯୋଧ୍ୟା( ସତ୍ୟପାଠବ୍ୟୁରୋ) : ଅଯୋଧ୍ୟାରେ ଆଜିଠୁ ଶ୍ରୀରାମ ମନ୍ଦିର ପାଇଁ ସିଇଓ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପଦ ପାଇଁ ମଇଦାନରେ ୧୮ ପ୍ରାର୍ଥୀ ଅଛନ୍ତି । ଶ୍ରୀରାମ ଜନ୍ମଭୂମି ମନ୍ଦିରର ଦାନ ଅର୍ଥରେ ହେରଫେର ଏବଂ ଦାନ ଚୋରି ମାମଲା ସାମ୍ନାକୁ ଆସିବା ପରେ ଟ୍ରଷ୍ଟ ଏହାର ପ୍ରାଶାସନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ବଡ଼ ପଦକ୍ଷେପ ଗ୍ରହଣ କରିଛି । ମନ୍ଦିର ପାଇଁ ଜଣେ ପୂର୍ଣ୍ଣକାଳୀନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ -ସିଇଓ ନିଯୁକ୍ତି ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି । ଏହି ପଦ ପାଇଁ ସର୍ଟଲିଷ୍ଟ ହୋଇଥିବା ୧୮ ଜଣ ପ୍ରାର୍ଥୀ ଅଯୋଧ୍ୟାରେ ପହଞ୍ଚିଥିବାବେଳେ ଟ୍ରଷ୍ଟ ଦ୍ୱାରା ଗଠିତ ତିନିଜଣିଆ ପ୍ୟାନେଲ୍ ସେମାନଙ୍କର ସାକ୍ଷାତକାର ନେଉଛନ୍ତି ।
ରାମ ମନ୍ଦିର ଦାନହୁଣ୍ଡିରୁ ନଗଦ ଟଙ୍କା ଚୋରି ଏବଂ ଆର୍ଥିକ ଅନିୟମିତତା ଅଭିଯୋଗ ଆସିବା ପରେ ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଏବଂ ଟ୍ରଷ୍ଟି ଅନିଲ ମିଶ୍ର ନିଜ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ପୂର୍ବତନ ଆରଏସ୍ଏସ୍ ପ୍ରଚାରକ ତଥା ଅବସରପ୍ରାପ୍ତ ଆଇଏଫ୍ଏସ୍ ଅଧିକାରୀ କୃଷ୍ଣ ମୋହନଙ୍କୁ ଅନ୍ତରୀଣ ମହାସଚିବ ଭାବେ ଦାୟିତ୍ୱ ଦିଆଯାଇଛି । ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳର ତଦନ୍ତ ଆଧାରରେ ପୁଲିସ ଏପର୍ଯ୍ୟନ୍ତ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି ।
