ନୂଆଦିଲ୍ଲୀ, (ସତ୍ୟପାଠବ୍ୟୁରୋ): ନାୟରା ଏନର୍ଜି ପରେ ଆଉ ଏକ ପ୍ରାଇଭେଟ୍ ଫୁଏଲ୍ କମ୍ପାନୀ ତେଲ ଦର ବୃଦ୍ଧି କରିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସହଯୋଗୀ ସଂସ୍ଥା ‘ଜିଓ-ବିପି’ ପେଟ୍ରୋଲ ଦରରେ ୫ ଟଙ୍କା ଏବଂ ଡିଜେଲ ଦରରେ ୩ ଟଙ୍କା ପ୍ରତି ଲିଟର ବୃଦ୍ଧି କରିଛି। ହରିୟାଣାରେ ଜିଓ-ବିପି ଆଉଟଲେଟ୍ଗୁଡ଼ିକରେ ପେଟ୍ରୋଲ ପ୍ରାୟ ୧୦୯.୮୦ ଟଙ୍କା ଏବଂ ଡିଜେଲ ୯୭.୭୫ ଟଙ୍କା ପ୍ରତି ଲିଟର ଦରରେ ବିକ୍ରି ହେଉଛି। ପଞ୍ଜାବରେ ଏଠାରେ ପେଟ୍ରୋଲ ପ୍ରାୟ ୧୦୮.୫୪ ଟଙ୍କା ଏବଂ ଡିଜେଲ ୯୯.୨୧ ଟଙ୍କା ପ୍ରତି ଲିଟର ରହିଛି। ରାଜସ୍ଥାନରେ ସ୍ଥାନୀୟ ଟ୍ୟାକ୍ସ ଆଧାରରେ ଏଠାରେ ପେଟ୍ରୋଲ ୧୧୩.୯୧ ଟଙ୍କାରୁ ୧୧୭.୬୫ ଟଙ୍କା ଏବଂ ଡିଜେଲ ୯୭.୧୫ ଟଙ୍କାରୁ ୧୦୦.୭୮ ଟଙ୍କା ପ୍ରତି ଲିଟର ମଧ୍ୟରେ ବିକ୍ରି ହେଉଛି । ଜିଓ-ବିପି ପୂର୍ବରୁ ଗତ ଅକ୍ଟୋବର ୩ ତାରିଖରେ ‘ନାୟରା ଏନର୍ଜି’ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ସମାନ ପରିମାଣରେ ବୃଦ୍ଧି କରିଥିଲା । ଅନ୍ତର୍ଜାତୀୟ ବଜାରରେ କ୍ରୁଡ୍ ଅଏଲ୍ ମୂଲ୍ୟ ବୃଦ୍ଧି ପାଇବାରୁ କମ୍ପାନୀଗୁଡ଼ିକର ମାର୍କେଟିଂ ମାର୍ଜିନ ଉପରେ ଚାପ ପଡ଼ିଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ଅନ୍ୟପକ୍ଷରେ, ସରକାରୀ ତେଲ କମ୍ପାନୀଗୁଡ଼ିକ (ଇଣ୍ଡିଆନ୍ ଅଏଲ୍, ବିପିସିଏଲ, ଏବଂ ଏଚପିସିଏଲ) ନିୟମିତ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାନ୍ତି । ଫଳରେ ସରକାରୀ ଓ ବେସରକାରୀ ପେଟ୍ରୋଲ ପମ୍ପଗୁଡ଼ିକ ମଧ୍ୟରେ ମୂଲ୍ୟର ପାର୍ଥକ୍ୟ ବଢ଼ିବାରେ ଲାଗିଛି । ମେଟ୍ରୋ ସହର ଗୁଡ଼ିକରେ ଯେପରି କି ଦିଲ୍ଲୀରେ ପେଟ୍ରୋଲ ୧୦୨.୧୨ ଟଙ୍କା ଏବଂ ଡିଜେଲ ୯୫.୨୦ ଟଙ୍କା ପ୍ରତି ଲିଟର ଥିବାବେଳେ ମୁମ୍ବାଇରେ ପେଟ୍ରୋଲ ୧୧୧.୨୧ ଟଙ୍କା ଏବଂ ଡିଜେଲ ୯୭.୮୩ ଟଙ୍କା ପ୍ରତି ଲିଟର ରହିଛି ।
