ଆଜିଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ସିରିଜ୍, ଅଧିନାୟକ ପଦରୁ ହଟିବା ପରେ ବିରାଟଙ୍କ ଏହା ପ୍ରଥମ ସିରିଜ

ଟେଷ୍ଟ୍ ଶୃଙ୍ଖଳାକୁ ନୈରାଶ୍ୟଜନକ ଭାବେ ହାରିବା ପରେ ଆଜିଠାରୁ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହେବ ଦିନିକିଆ ସିରିଜ। ଏବେ ଟିମ ଇଣ୍ଡିଆ ନଜରରେ ଓ୍ଵାନଡେ ସିରିଜ । ଏହି ମ୍ୟାଚ ଟି ବିରାଟ କୋହଲିଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଓ୍ଵାନଡେ ଅଧିନାୟକ ପଦରୁ ହଟିବା ପରେ ବିରାଟଙ୍କ ଏହା ପ୍ରଥମ ସିରିଜ । ତିନିଟି ଯାକ ଫର୍ମାଟ୍‌ର ଅଧିନାୟକ ପଦରେ ନଥିବା କୋହଲି ଏହି ଶୃଙ୍ଖଳାରେ ଜଣେ ସାଧାରଣ ଖେଳାଳି ଭାବେ ଖେଳିବେ । ଦୀର୍ଘ ୫ ବର୍ଷର ବ୍ୟବଧାନ ପରେ ଏଭଳି ଘଟଣା ଘଟିବ ।

ସେହିଭଳି ଟେଷ୍ଟ୍ କ୍ରିକେଟ୍‌ରୁ ଅବସର ଘୋଷଣା କରି ସାରିଥିବା ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ କ୍ବିଣ୍ଟନ୍ ଡି’ କକ୍‌ ମଧ୍ୟ ଅନେକ କିଛି ପ୍ରମାଣ କରିବା ଲକ୍ଷ୍ୟରେ ରହିବେ। ପୂରା ଶୃଙ୍ଖଳାରେ କୋହଲି ଓ ଡି’କକ୍‌ଙ୍କ ଉପରେ କ୍ରିକେଟ୍ ପଣ୍ଡିତଙ୍କ ସହ ଦୁଇ ଦେଶର କ୍ରିକେଟ୍‌ପ୍ରେମୀଙ୍କ ତୀକ୍ଷ୍ଣ ନଜର ରହିବ। ସାଢ଼େ ଚାରିମାସର ବ୍ୟବଧାନ ପରେ ତେମ୍ବା ବଭୁମା ଦଳକୁ ଫେରି ଦକ୍ଷିଣ ଆଫ୍ରିକାର ଅଧିନାୟକ ଦାୟିତ୍ବ ତୁଲାଇବେ।

କେଏଲ ରାହୁଳଙ୍କ ନେତୃତ୍ୱରେ ଦଳ ୩ଟି ଦିନିକିଆ ସିରିଜ ଖେଳିବ ।

୨୦୧୭ ପରେ ପ୍ରଥମ ଥର ପାଇଁ ବିରାଟ ଅନ୍ୟ ଜଣେ ଦିନିକିଆ କ୍ୟାପଟେନଙ୍କ ଅଧିନରେ ମ୍ୟାଚ ଖେଳୁଛନ୍ତି । ମହେନ୍ଦ୍ର ସିଂହ ଧୋନୀଙ୍କ ପରେ କେଏଲ ରାହୁଳ ଦ୍ୱିତୀୟ କ୍ୟାପଟେନ ଯାହାଙ୍କ ଅଧିନାୟିକତ୍ୱରେ କୋହଲି ମ୍ୟାଚ ଖେଳିବେ । ଦକ୍ଷିଣ ଆଫ୍ରିକା ବିପକ୍ଷ ଭାରତୀୟ ଦଳ ଘୋଷଣା ବେଳେ ବିରାଟ କୋହଲିଙ୍କୁ ଅଧିନାୟକ ପଦରୁ ହଟାଯାଇଥିଲାା ଆଜି ପ୍ରଥମ ଦିନିକିଆ ଥିବା ବେଳେ ଆସନ୍ତା ୨୧ରେ ଦ୍ୱିତୀୟ ଓ ୨୩ରେ ତୃତୀୟ ଓ୍ଵାନଡେ ଖେଳାଯିବ ।

ସୂଚନାଯୋଗ୍ୟ, ଭାରତ ଓ ଦକ୍ଷିଣ ଆଫ୍ରିକା ୮୪ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ରେ ପରସ୍ପର ମୁହାଁମୁହିଁ ହୋଇଛନ୍ତି। ସେଥିମଧ୍ୟରୁ ଦକ୍ଷିଣ ଆଫ୍ରିକା ୪୬ ମ୍ୟାଚ୍ ଜିତିଥିଲା ବେଳେ ଭାରତ ୩୫ ମ୍ୟାଚ୍‌ରେ ବିଜୟୀ ହୋଇଛି। ୩ ମ୍ୟାଚ୍‌ର ଫଳାଫଳ ମିଳିନି। ଇନ୍ଦ୍ରଧନୁର ଦେଶ କୁହାଯାଉଥିବା ଦକ୍ଷିଣ ଆଫ୍ରିକାରେ ଉଭୟ ଦଳ ପରସ୍ପରକୁ ୩୪ ଦିନିକିଆରେ ଭେଟିଛନ୍ତି। ସେଥିମଧ୍ୟରୁ ୨୨ ମ୍ୟାଚ୍ ଜିତି ଦକ୍ଷିଣ ଆଫ୍ରିକା ଢେର ଆଗରେ ରହିଛି। ଭାରତ କେବଳ ୧୦ ମ୍ୟାଚ୍ ଜିତିଥିଲା ବେଳେ ୨ ମ୍ୟାଚ୍‌ର ଫଳାଫଳ ମିଳିନି। ଦକ୍ଷିଣ ଆଫ୍ରିକାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୫ଟି ଦ୍ବିପାକ୍ଷିକ ଶୃଙ୍ଖଳା ଖେଳିଛି। ସେଥିମଧ୍ୟରୁ ମାତ୍ର ଗୋଟିକରେ ବିଜୟୀ ହୋଇଥିଲା ବେଳେ ଚାରିଟି ହାରିଛି । ୨୦୧୮ ମସିହା‌ରେ ଦକ୍ଷିଣ ଆଫ୍ରିକାରେ ଭାରତ ପ୍ରଥମ ଦିନିକିଆ ଶୃଙ୍ଖଳା ବିଜୟ ହାସଲ କରିଥିଲା। ସେହି ଗସ୍ତର ୬ ଟିକିଆ ଶୃଙ୍ଖଳାକୁ ଟିମ୍ ଇଣ୍ଡିଆ ୫-୧ରେ ଜିତି ଇତିହାସ ରଚିଥିଲା ।

Related Posts