ଭୁବନେଶ୍ବର(ସତ୍ୟପାଠବ୍ୟୁରୋ) : ଏଲପିଜି ଗ୍ରାହକଙ୍କ ପାଇଁ ବଡ଼ ଖବର। ରନ୍ଧଣ ଗ୍ୟାସ୍‌ର ଇକେଓ୍ବାଇସି କରିବା ପାଇଁ ଆଜି ଅର୍ଥାତ୍ ୩୧ ଅଗଷ୍ଟ ୨୦୨୬ ଶେଷ ତାରିଖ। ଯେଉଁ ଗ୍ରାହକମାନେ ଏପର୍ଯ୍ୟନ୍ତ ଆଧାର ଆଧାରିତ ବାୟୋମେଟ୍ରିକ୍ ଇକେଓ୍ବାଇସି ସମ୍ପୂର୍ଣ୍ଣ କରିନାହାନ୍ତି, ସେମାନେ ଆଜି ମଧ୍ୟରେ ଏହି ପ୍ରକ୍ରିୟା ପୂରଣ କରିବାକୁ କୁହାଯାଇଛି। ତୈଳ ବିପଣନ କମ୍ପାନୀଗୁଡ଼ିକ ଡିଲରମାନଙ୍କୁ ଜଣାଇଛନ୍ତି ଯେ ୩୧ ଅଗଷ୍ଟ ପରେ ଆଉ ସମୟ ବଢ଼ାଯିବ ନାହିଁ । ଇକେଓ୍ବାଇସି ନକଲେ ଗ୍ରାହକଙ୍କ ଏଲପିଜି ସେବାରେ ଅସୁବିଧା ହୋଇପାରେ। ବିଶେଷକରି ଘରୋଇ ୧୪.୨ କିଲୋ ଏଲପିଜି ସିଲିଣ୍ଡର ବୁକିଂ କିମ୍ବା ରିଫିଲ୍‌ରେ ସମସ୍ୟା ହେବା ସହ ଅସ୍ଥାୟୀ ଭାବେ କନେକ୍ସନ୍ ସସ୍ପେଣ୍ଡ ହୋଇପାରେ । କିଛି କ୍ଷେତ୍ରରେ ଇକେଓ୍ବାଇସି ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଘରୋଇ ଦରରେ ସିଲିଣ୍ଡର ନମିଳି ବାଣିଜ୍ୟିକ ଦର ଲାଗୁ ହେବାର ଆଶଙ୍କା ମଧ୍ୟ ରହିଛି । ତେବେ ଏହି ଇକେଓ୍ବାଇସି ପ୍ରକ୍ରିୟା ପାଇଁ ଗ୍ୟାସ୍ ଏଜେନ୍ସିରେ ଲମ୍ବା ଲାଇନ୍‌ରେ ଛିଡ଼ା ହେବା ଜରୁରୀ ନୁହେଁ । ଘରେ ବସି ମଧ୍ୟ ମୋବାଇଲ୍ ଆପ୍‌ ମାଧ୍ୟମରେ ଇକେଓ୍ବାଇସି କରିହେବ ।

Indane ଗ୍ରାହକମାନେ IndianOil One ଆପ୍‌, Bharat Gas ଗ୍ରାହକ Hello BPCL ଏବଂ HP Gas ଗ୍ରାହକ HP Pay ଆପ୍‌ ବ୍ୟବହାର କରିପାରିବେ । ଏହାପରେ ଆଧାର ଆଧାରିତ ଫେସ୍ ଅଥେଣ୍ଟିକେସନ୍‌ ପାଇଁ Aadhaar FaceRD ଆପ୍‌ର ସହାୟତା ନିଆଯାଇପାରିବ । ପ୍ରଥମେ ନିଜ LPG କନେକ୍ସନ୍‌ ସହ ଲିଙ୍କ୍ ଥିବା ମୋବାଇଲ୍ ନମ୍ବର ଦେଇ ସମ୍ପୃକ୍ତ ଆପ୍‌ରେ ଲଗ୍‌ଇନ୍ କରିବାକୁ ପଡ଼ିବ । ଏହାପରେ e-KYC ବିକଳ୍ପ ଚୟନ କରି ଆଧାର ନମ୍ବର ଦେବାକୁ ହେବ ଏବଂ ଫେସ୍ ଅଥେଣ୍ଟିକେସନ୍ ସମ୍ପୂର୍ଣ୍ଣ କରିବାକୁ ପଡ଼ିବ । ପ୍ରକ୍ରିୟା ସଫଳ ହେଲେ ସ୍କ୍ରିନ୍‌ରେ କନଫର୍ମେସନ୍ ଦେଖାଯିବ । ତେଣୁ ଯଦି ଆପଣ Indane, Bharat Gas କିମ୍ବା HP Gasର ଘରୋଇ ଗ୍ରାହକ ଏବଂ ଏପର୍ଯ୍ୟନ୍ତ e-KYC କରିନାହାନ୍ତି, ତେବେ ଆଜି ହିଁ ଏହା ପୂରଣ କରିନିଅନ୍ତୁ । ନଚେତ୍ ଆଗକୁ LPG ସିଲିଣ୍ଡର ବୁକିଂ ଓ ଘରୋଇ ଦରରେ ଗ୍ୟାସ୍ ପାଇବାରେ ସମସ୍ୟା ହୋଇପାରେ ।