ଭୁବନେଶ୍ବର, ( ସତ୍ୟପାଠ ବ୍ୟୁରୋ): ମଧ୍ୟପ୍ରାଚ୍ୟରୁ ଓଡ଼ିଶାକୁ ଅଧିକ ଶିଳ୍ପ ନିବେଶ ଆଣିବା ଲକ୍ଷ୍ୟରେ ଅଭିଯାନ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଉଦ୍ଦେଶ୍ୟରେ ଆବୁଧାବିରେ ଆୟୋଜିତ ନିବେଶ ସମ୍ମିଳନୀ ଓ ଇନଭେଷ୍ଟମେଣ୍ଟ ରୋଡ୍‌ ସୋ’ ମାଧ୍ୟମରେ ବିଦେଶୀ ନିବେଶକଙ୍କୁ ଓଡ଼ିଶାରେ ନିବେଶ ପାଇଁ ଆକୃଷ୍ଟ କରାଯାଉଛି। ଓଡ଼ିଶା-ୟୁଏଇ ମଧ୍ୟରେ ନିବେଶ ଏବଂ ଶିଳ୍ପ ସହଯୋଗର ସେତୁ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ)ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିବେଶ ସମ୍ପର୍କ ଅଭିଯାନ ଆରମ୍ଭ କରିଛନ୍ତି। ଆବୁଧାବିରେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇଣ୍ଟରନ୍ୟାସନାଲ ହୋଲ୍ଡିଂ କମ୍ପାନୀ(ଆଇଏଚସି)ର ବ୍ୟବସାୟିକ କ୍ଷେତ୍ର ଏବଂ ଗୋଷ୍ଠୀ କମ୍ପାନୀଗୁଡ଼ିକ ସହିତ ଏକ ଉଚ୍ଚସ୍ତରୀୟ ଗୋଲଟେବୁଲ ଆଲୋଚନାର ନେତୃତ୍ୱ ନେଇଛନ୍ତି। ସେଠାରେ ଓଡ଼ିଆ ସମାଜ ସହ ମୁଖ୍ୟମନ୍ତ୍ରୀ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିବା ସହ ବିଭିନ୍ନ କ୍ଷେତ୍ରରେ ନିବେଶ ଉପରେ ଫୋକସ କରିଛନ୍ତି। ଏ ନେଇ ଆବୁଧାବିରେ ‘ହାଉସ ଅଫ୍ ଇଣ୍ଡିଆ’ ବା ଭାରତୀୟ ଦୂତାବାସରେ ଓଡ଼ିଆ ସମାଜ ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ ଶିଳ୍ପ, ଗୃହ, ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମାଙ୍କ ସମେତ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ରହିଛନ୍ତି। ଏହି ଅବସରରେ ଓଡ଼ିଶା-ୟୁଏଇ ସାମାଜିକ, ସାଂସ୍କୃତିକ ଓ ଶିଳ୍ପ ସମ୍ପର୍କ ନେଇ ଆଲୋଚନା ହୋଇଥିଲା । ଆବୁଧାବି ଓ ଦୁବାଇରେ ଓଡ଼ିଆ ସମାଜର ବିଭିନ୍ନ କାର୍ଯ୍ୟକଳାପ ସହ ପ୍ରବାସୀ ଓଡ଼ିଆ ସମ୍ପ୍ରଦାୟର ଭୂମିକା ନେଇ ମଧ୍ୟ ମତବିନିମୟ ହୋଇଥିଲା। ଓଡ଼ିଶାରେ ଶିଳ୍ପ ନିବେଶ ଓ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟରେ ଆୟୋଜିତ ଇନଭେଷ୍ଟମେଣ୍ଟ ରୋଡ୍‌ଶୋକୁ ପ୍ରବାସୀ ଓଡ଼ିଆମାନେ ସ୍ୱାଗତ କରିବା ସହ ସମର୍ଥନ ଜଣାଇଥିଲେ। ଆବୁଧାବିରେ ଭାରତୀୟ ରାଷ୍ଟ୍ରଦୂତ ଡ. ଦୀପକ ମିତ୍ତଲ ଏବଂ ପ୍ରବାସୀ ଓଡ଼ିଆ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଶିଳ୍ପମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଏଥିରେ ଓଡ଼ିଶା ସମାଜ ଦୁବାଇର ସଭାପତି ଅମିୟ କୁମାର ମିଶ୍ର, ଓଡ଼ିଆ ସମାଜ ଆବୁଧାବିର ସଭାପତି ସୌଗତ ନାୟକ, ପୂର୍ବତନ ସଭାପତି ପ୍ରଦୀପ କୁମାର ରଥ ଓ କ୍ୟାପଟେନ୍ ସୌମ୍ୟ ରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଆଇଏଚ୍‌ସି ମୁଖ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଆଇଆର୍‌ଏଚ୍‌ର ସିଇଓ ଅଲି ଅଲରାସଦି, ଆଇଏଚ୍‌ସିର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ସୟଦ ବାସର ଶୁଏବ, ଚିଫ୍ ଷ୍ଟ୍ରାଟେଜିକ୍ ଆଣ୍ଡ ଗ୍ରୋଥ୍ ଅଫିସର ପିଟର ଆବ୍ରାମ ଓ ୨ ପଏଣ୍ଟ୍‌ ଜିରୋ ଗ୍ରୁପ୍‌ର ସିଇଓ ସାମିଆ ବୁଆଜା ସ୍ୱାଗତ କରିଥିଲେ। ଏହି ଅବସରରେ ଆରବୀୟ ଲୋକନୃତ୍ୟ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା। ଏହାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ। ମଙ୍ଗଳବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଆବୁଧାବୀ ପହଞ୍ଚି ଥିବାବେଳେ ଭାରତୀୟ ଦୁତାବାଦ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା। ୟୁଏଇର ପ୍ରମୁଖ ନିବେଶକଙ୍କୁ ଓଡ଼ିଶାରେ ନିବେଶ ପାଇଁ ଆକୃଷ୍ଟ କରିବା ସହ ରାଜ୍ୟର ଶିଳ୍ପ ଓ ବ୍ୟବସାୟିକ ସୁଯୋଗ ସମ୍ପର୍କରେ ଅବଗତ କରାଇବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।