ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପୁଣି ସୁପ୍ରିମକୋର୍ଟକୁ ଗଲା କୋଟିଆ ବିବାଦ। ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ଓଡ଼ିଶା ସରକାର । ଏ ନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ‘କୋରାପୁଟ ଜିଲ୍ଲାପାଳଙ୍କ ଜରିଆରେ ସୁପ୍ରିମକୋର୍ଟ ଯାଇଛି ଓଡ଼ିଶା। କୋଟିଆ ମାମଲାରେ ‘ସ୍ଥିତାବସ୍ଥା ବଜାୟ ପାଇଁ ସୁପ୍ରିମକୋର୍ଟଙ୍କ ଆଦେଶର ଅବମାନନା ଅଭିଯୋଗ ହୋଇଛି। ‘ଆନ୍ଧ୍ର ସରକାର ସୁପ୍ରିମକୋର୍ଟଙ୍କ ଆଦେଶ ଅବମାନନା କରୁଥିବା ଅଭିଯୋଗରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଓଡ଼ିଶା ସରକାର। ‘ଗତ ୧୦ ତାରିଖରେ ପଞ୍ଚାୟତ ନିର୍ବାଚନ ପାଇଁ ଆନ୍ଧ୍ର ବିଜ୍ଞପ୍ତି ବାହାର କରିଥିଲା। ‘ଏଥିରେ କୋଟିଆ ଗ୍ରାମପୁଞ୍ଜକୁ ସାମିଲ୍ କରିଛି ଆନ୍ଧ୍ର। ‘ଏହା ସ୍ଥିତାବସ୍ଥାର ପରିପନ୍ଥୀ, ସୁପ୍ରିମକୋର୍ଟଙ୍କ ଅବମାନନା ବୋଲି ଦର୍ଶାଇଛି ଓଡ଼ିଶା। ମାମଲାରେ ‘ଆନ୍ଧ୍ରର ରାଜ୍ୟ ନିର୍ବାଚନ କମିଶନର, ମୁଖ୍ୟ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି। ସେହିଭଳି ‘ଗୃହ ସଚିବ, ପାର୍ବତୀପୁରମ ଜିଲ୍ଲାପାଳଙ୍କ ନାଁରେ ମଧ୍ୟ ମାମଲା ଦାୟର ହୋଇଛି।

ତେବେ କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ବର୍ଷ ବର୍ଷ ଲାଗି ରହିଛି। କୋଟିଆ ଉପରେ ସ୍ଥିତାବସ୍ଥା ଜାରି ରଖିବାକୁ ପୂର୍ବରୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ୨୦୨୧ ମସିହାରେ କୋଟିଆର ବିବାଦୀୟ ଗ୍ରାମଗୁଡ଼ିକରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ପଞ୍ଚାୟତ ନିର୍ବାଚନ କରାଯାଇଥିଲା। ଏହାକୁ ନେଇ ଓଡ଼ିଶା ପକ୍ଷରୁ ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ମାମଲା ଦାଖଲ କରାଯାଇଥିଲା। ଯାହା ଏବେ ବିଚାରାଧୀନ ରହିଛି।

ସେପଟେ ଏ ମାମଲାରେ ରାଜନୀତି ବି ତେଜିଛି | ବିରୋଧୀ ଦଳ ଗୁଡିକ ଏ ପ୍ରସଙ୍ଗରେ ସରକାରକୁ ଘେରିଛନ୍ତି | ବିଜେଡିର ଏକ ପ୍ରତିନିଧିମଣ୍ଡଳୀ ଶୁକ୍ରବାର କୋଟିଆ ଯାଇଥିବା ବେଳେ କଂଗ୍ରେସ ପ୍ରତିନିଧିମାନେ ୨୭ ତାରିଖରେ ଗସ୍ତ କରିବେ। ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟିଡୁଙ୍କ ସମର୍ଥନରେ କେନ୍ଦ୍ରରେ ବିଜେପି ସରକାର ଗଠନ କରିଥିବାରୁ ଏବେ ସରକାର ବଞ୍ଚାଇବାକୁ ରାଜ୍ୟ ସ୍ୱାର୍ଥକୁ ବଳି ଦେଇଥିବା ବିରୋଧୀ ଅଭିଯୋଗ କରିଛନ୍ତି | ସେପଟେ ବିଜେପି ପକ୍ଷରୁ ଏହାର କାଉଣ୍ଟର କରାଯାଇ 24 ବର୍ଷ ସରକାର ସମୟରେ ନବୀନ ପଟ୍ଟନାୟକ ଓଡିଶା ପାଇଁ କଣ କରିଛନ୍ତି ସେନେଇ ହିସାବ ମଗାଯାଇଛି | ଏସବୁ ରାଜନୀତି ମଧ୍ୟରେ ଆସନ୍ତା 28 ତାରିଖରେ କୋଟିଆରେ ଆନ୍ଧ୍ର କରିବାକୁ ଯାଉଥିବା ପଂଚାୟତ ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି |