ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ପୂର୍ବାପେକ୍ଷା ନିଜ ଆସନ ସଂଖ୍ୟା ବୃଦ୍ଧି କରି ମଜଭୁତ ହୋଇଛି ଏନଡିଏ। ଦେଶର ରାଜନୈତିକ ବାତାବରଣରେ ଆସିଛି ବଡ଼ ପରିବର୍ତ୍ତନ। ନିର୍ବାଚନରେ ପରାଜୟ, ଦଳବଦଳ ଓ ବିଭାଜନ କାରଣରୁ ବିରୋଧୀ ଦଳ ଦୁର୍ବଳ ହୋଇପଡ଼ିଛନ୍ତି । ଏଭଳି ସ୍ଥିତିରେ ଆଜିଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ନୂଆ ସମୀକରଣ ଦୃଷ୍ଟିରୁ ଏଥର ଗୃହରେ ଭିନ୍ନ ସ୍ଥିତି ଦେଖିବାକୁ ମିଳିବ । ପ୍ରମୁଖ ବିରୋଧୀ ଦଳ ସରକାରଙ୍କୁ କିଭଳି ଘେରିବେ ତାହା ଉପରେ ନଜର ରହିବ । ଟିଏମସି ଏବଂ ଶିବସେନା (ଉଦ୍ଧବ ଗୋଷ୍ଠୀ) ଭଳି ପ୍ରମୁଖ ବିରୋଧୀ ଦଳରେ ବଡ଼ ଧରଣର ବିଦ୍ରୋହ ହୋଇଛି । ଟିଏମସିର ୨୦ ବିଦ୍ରୋହୀ ସାଂସଦ ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆ (ଏନ୍‌ସିପିଆଇ)ରେ ବିଲୟ ହୋଇ ଏନଡିଏକୁ ସମର୍ଥନ ଦେଇଛନ୍ତି । ଉଦ୍ଧବ ଠାକରେଙ୍କ ଦଳର ୬ ସାଂସଦ ଏକନାଥ ସିନ୍ଦେଙ୍କ ଶିବସେନାରେ ସାମିଲ ହୋଇଛନ୍ତି, ଯାହା ଏନଡିଏକୁ ଅଧିକ ବଳ ଦେଇଛି । ଏହାଛଡ଼ା ପଶ୍ଚିମବଙ୍ଗରେ ଟିଏମ୍‌ସି, ତାମିଲନାଡୁରେ ଡିଏମ୍‌କେ ଏବଂ ଓଡ଼ିଶାରେ ବିଜେଡିର ପରାଜୟ ବିରୋଧୀଙ୍କ ସ୍ଥିତି ଦୁର୍ବଳ କରିଦେଇଛି ।

ଦଳବଦଳ ଓ ବିଭାଜନ ଯୋଗୁ ଲୋକସଭାରେ ବିଜେପି ନେତୃତ୍ୱାଧୀନ ଏନଡିଏର ସଦସ୍ୟ ସଂଖ୍ୟା ବଢ଼ିଛି ଯାହା ସରକାରଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ କରାଇବାରେ ଅଧିକ ଶକ୍ତି ପ୍ରଦାନ କରିବ । ତେବେ ବିଦ୍ରୋହୀ ସାଂସଦଙ୍କୁ ସ୍ୱତନ୍ତ୍ର ଆସନ ମିଳିବାକୁ ନେଇ ଅଧିବେଶନ ଆରମ୍ଭରୁ ହିଁ ହଟ୍ଟଗୋଳର ଆଶଙ୍କା ଦେଖାଦେଇଛି । ଏହି ଅଧିବେଶନ କେବଳ ଆଇନ ପ୍ରଣୟନ ପାଇଁ ନୁହେଁ, ବରଂ ବଦଳୁଥିବା ଦଳୀୟ ସମୀକରଣ ଏବଂ ବିରୋଧୀ ଦଳଗୁଡ଼ିକର ଅସ୍ତିତ୍ୱ ରକ୍ଷା ଲଢ଼େଇ ଲାଗି ଭାରତୀୟ ରାଜନୀତିରେ ଏକ ନୂଆ ମୋଡ଼ ଆଣିବା ନେଇ ଆଶା କରାଯାଉଛି ।

ସଂସଦର ମୌସୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହେଉଛି । ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୧୯ଟି ବୈଠକ ବସିବ । ତାହା ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୪୦ ଦଳ ସାମିଲ ହୋଇଥିଲେ। ଏହାପରେ ଲୋକସଭା ବିଜନେସ ଆଡଭାଇଜରି କମିଟି (ବିଏସି) ବୈଠକ ବସିଥିଲା । କେଉଁ ବିଲ୍ ଉପରେ କେତେ ସମୟ ଚର୍ଚ୍ଚା ହେବ, ତାହା ସ୍ଥିର ହୋଇଥିଲା । ମୌସୁମୀ ଅଧିବେଶନରେ ୫ଟି ନୂଆ ଏବଂ ୨ଟି ପୁରୁଣା ବିଲ୍ ଆଗତ ପାଇଁ ସରକାର ଯୋଜନା ରଖିଛନ୍ତି । ୫ଟି ନୂଆ ବିଲ୍ ମଧ୍ୟରେ ଆୟକର (ସଂଶୋଧନ) ବିଲ୍ ୨୦୨୬, ସୁପ୍ରିମ୍‌କୋର୍ଟ (ବିଚାରପତି ସଂଖ୍ୟା) ସଂଶୋଧନ ବିଲ୍ ୨୦୨୬,ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ (ସଂଶୋଧନ) ବିଲ୍ ୨୦୨୬, ଜାତୀୟ ସମ୍ମାନର ଅପମାନ ନିବାରଣ (ସଂଶୋଧନ) ବିଲ୍ ୨୦୨୬ ଏବଂ ଏମ୍ଏସ୍ଏମ୍ଇ (ସଂଶୋଧନ) ବିଲ୍ ୨୦୨୬ ଅନ୍ତର୍ଭୁକ୍ତ । ଏହିସବୁ ବିଲ୍ ଉପରେ ୪-୫ ଘଣ୍ଟା ଚର୍ଚ୍ଚା ହେବ । ଏହାଛଡ଼ା ଚଳିତବର୍ଷ ପ୍ରାରମ୍ଭରେ ଆଗତ କରାଯାଇଥିବା ବୈଦେଶିକ ଅନୁଦାନ (ନିୟନ୍ତ୍ରଣ) ସଂଶୋଧନ (ଏଫ୍‌ସିଆର୍‌ଏ) ବିଲ୍ ୨୦୨୬ ଏବଂ ଦୀର୍ଘଦିନରୁ ବିଚାରାଧୀନ ଥିବା ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ (ଭିବିଏସ୍ଏ) ବିଲ୍ ୨୦୨୫କୁ ପୁନର୍ବାର ଆଗତ କରାଯିବ । ଭିବିଏସ୍ଏ ବିଲ୍‌କୁ ୨୦୨୫ ଡିସେମ୍ବର ୧୫ରେ ଲୋକସଭାରେ ଆଗତ କରାଯାଇ ଯୁଗ୍ମ ସଂସଦୀୟ କମିଟି ନିକଟକୁ ପଠାଯାଇଥିଲା । ସବୁଠୁ ଗୁରୁତ୍ୱପୂର୍ଣ୍ଣ ମହିଳା ସଂରକ୍ଷଣ ବିଲ୍ ଏବଂ ସୀମା ପୁନଃ ନିର୍ଦ୍ଧାରଣ ବିଲ୍ ଆଗତ ହୋଇପାରେ । ଏଥିପାଇଁ ସରକାର ୧୩୧ତମ ସମ୍ୱିଧାନ ସଂଶୋଧନ ବିଲ୍ ଆଣିବା ସମ୍ଭାବନା ରହିଛି ।

ଏଥିରେ ମହିଳା ସଂରକ୍ଷଣର କାର୍ଯ୍ୟକାରିତାକୁ ସହଜ ନିମନ୍ତେ ଲୋକସଭା ଆସନର ସୀମା ନିର୍ଦ୍ଧାରଣ (ଡିଲିମିଟେସନ) ପ୍ରସ୍ତାବ ରହିଛି । ସେହିଭଳି ୧୩୦ତମ ସମ୍ୱିଧାନ ସଂଶୋଧନ ବିଲ୍ ମଧ୍ୟ ଆଗତ ହେବାର ସମ୍ଭାବନା ରହିଛି । ଏହି ବିଲ୍‌ରେ ୩୦ ଦିନ ଜେଲରେ ରହିବା ପରେ ଯେକୌଣସି ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ ପଦରୁ ହଟାଯିବା ନେଇ ପ୍ରସ୍ତାବ ଅଛି ।