ଆସନ୍ତା ୪ରେ ପ୍ରକାଶ ପାଇବ ଶ୍ରୀମନ୍ଦିର ପର୍ବପର୍ବାଣୀ ଚୂଡ଼ାନ୍ତ ତାଲିକା

ସତ୍ୟପାଠ 25/12 ପୁରୀ : ଶ୍ରୀମନ୍ଦିରରେ ପର୍ବପର୍ବାଣୀ ତାଲିକା ପ୍ରସ୍ତୁତି ନେଇ ଶୁକ୍ରବାର ଦିନ ପୁଣି ପାଞ୍ଜିକାରମାନଙ୍କୁ ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପଞ୍ଜିକାରେ ସମନ୍ବୟ ରକ୍ଷା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ବୈଠକ ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିର ପ୍ରଶାସନର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପର୍ବପର୍ବାଣୀ ସମ୍ପର୍କରେ ଆଲୋଚନା ହୋଇଥିଲେ ହେଁ ଚୂଡ଼ାନ୍ତ ତାଲିକା ଆସନ୍ତା ୪ ତାରିଖରେ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଜ୍ୟର ୮ଟି ପଞ୍ଜିକାର ପାଞ୍ଜିକାରଙ୍କୁ ଚିଠି କରାଯାଇଥିଲେ ହେଁ କେବଳ ରାଧାରମଣ ପଞ୍ଜିକାର ପାଞ୍ଜିକାରମାନେ ଉପସ୍ଥିତ ଥିଲେ।‌ ତେଣୁ ଏନେଇ ଛତିଶା ନିଯୋଗର ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ଏବଂ ମୁକ୍ତି ମଣ୍ଡପ ସଭାର ସଦସ୍ୟମାନେ ଉଦ୍‌ବେଗ ପ୍ରକାଶ କରିଥିଲେ।

ପଞ୍ଜିକାରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଓ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଅଭିମତ ରହୁଥିବାରୁ ଲୋକେ ବିଭିନ୍ନ ପାଞ୍ଜିକୁ ବିଶ୍ବାସ କରି ଆସୁଛନ୍ତି। ତେଣୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆୟୋଜିତ ପାଞ୍ଜି ସମନ୍ବୟ ବୈଠକରେ ଏ ସମ୍ପର୍କରେ ସମୀକ୍ଷା ନହେବା ଯାଏ ଅଭିମତ ନରଖିବା ପାଇଁ ଗଜପତି ଓ ଶଙ୍କରାଚାର୍ଯ୍ୟଙ୍କ କାର୍ଯ୍ୟାଳୟକୁ ନିବେଦନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ୧୫ ଦିନ ତଳେ ମଧ୍ୟ ପାଞ୍ଜିକାରମାନଙ୍କୁ ଏକ ବୈଠକକୁ ଆହ୍ବାନ କରାଯାଇଥିଲା। ମାତ୍ର ସେଥିରେ କେବଳ ଜଣେ ମାତ୍ର ପାଞ୍ଜିକାର ଉପସ୍ଥିତ ଥିବାରୁ ଏଥିପାଇଁ ଆଉ ୧୫ ଦିନ ମଧ୍ୟରେ ଅନ୍ୟ ପାଞ୍ଜିକାରମାନଙ୍କୁ ଏକାଠି କରିବାକୁ ପ୍ରୟାସ କରାଯାଇଥିଲା। ହେଲେ ଆଜି ବି ଅନୁପସ୍ଥିତ ରହିଥିଲେ। ତେଣୁ ପୂଜାପଣ୍ଡା ନିଯୋଗର ନିବେଦନ ପରେ ପୁଣି ଏ ସମ୍ପର୍କିତ ଏକ ବୈଠକ ଆସନ୍ତା ଜାନୁଆରି ୪ ତାରିଖରେ କରାଯିବ। ସେଠାରେ ଶ୍ରୀମନ୍ଦିର ପର୍ବ ପର୍ବାଣୀ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ ବୋଲି ‌ସ୍ଥିର କରାଯାଇଛି। ଯେଉଁ ପାଞ୍ଜିକାରମାନେ ଉପସ୍ଥିତ ନରହିବେ ସେମାନଙ୍କୁ ଶ୍ରୀମନ୍ଦିର ପର୍ବପର୍ବାଣୀ ତାଲିକା ଦିଆଯିବ ନାହିଁ ବୋଲି ବୈଠକରେ ମତ ପ୍ରକାଶ ପାଇଛି। ସୂଚନାଯୋଗ୍ୟ ବିଭିନ୍ନ ପାଞ୍ଜି ମଧ୍ୟରେ ସମନ୍ବୟ ରହୁନଥିବାରୁ ଏଥିପାଇଁ ଏକ ବୈଠକ କରିବା ପାଇଁ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିର୍ଦ୍ଦେଶ ଦେଇଥିଲେ।

Related Posts