ଦେଶବାସୀଙ୍କୁ ବଡଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତି

ଆଜି ହେଉଛି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମୋତ୍ସବ । ଧରାପୃଷ୍ଠରେ ଅବତରଣ କରିଛନ୍ତି ପ୍ରଭୁ ଯୀଶୁ । ତେବେ ଦେଶରେ ଏବେ ଓମିକ୍ରନକୁ ନେଇ ଭୟାବହତା ଜାରି ରହିଥିବା ବେଳେ, ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ କଟକଣା ଲାଗିଛି | ସୀମିତ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଚର୍ଚ୍ଚରେ ପ୍ରାର୍ଥନା କରାଯାଉଥିବାବେଳେ ଘରେ ରହି ବଡଦିନ ପାଳୁଛନ୍ତି ଦେଶବାସୀ । ତେବେ ଆଜି ଭଳି ପବିତ୍ର ଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଏବଂ ବିଭିନ୍ନ ବରିଷ୍ଠ ବ୍ୟକ୍ତିବିଶେଷ ଦେଶବାସୀଙ୍କୁ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଛନ୍ତି ଏବଂ ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ବିଟ୍ କରିଛନ୍ତି, ସମସ୍ତଙ୍କୁ ଖ୍ରୀଷ୍ଟମାସର ଶୁଭେଚ୍ଛା । ସେବା, ଦୟା ଓ ନମ୍ରତା ଉପରେ ଆଧାରିତ ଯୀଶୁଖ୍ରୀଷ୍ଟଙ୍କ ଜୀବନ ଏବଂ ତାଙ୍କ ପ୍ରଦତ୍ତ ମହାନ ଶିକ୍ଷାକୁ ଆମେ ସ୍ମରଣ କରୁଛୁ । ସମସ୍ତେ ସୁସ୍ଥ ରୁହନ୍ତୁ ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖ୍ରୀଷ୍ଟାଧର୍ମାବଲମ୍ବୀ ଭାଇଭଉଣୀ ତଥା ଦେଶବାସୀଙ୍କୁ ବଡଦିନର ଶୁଭେଚ୍ଛା ଜଣାଇଛନ୍ତି । ପ୍ରଶୁ ଯୀଶୁ ସମସ୍ତଙ୍କ ଜୀବନରେ ଆନନ୍ଦ ଉଲ୍ଲାସ ଭରି ଦିଅନ୍ତୁ ଏହା ହିଁ ମୋର କାମନା ବୋଲି କହିଛନ୍ତି ରାଷ୍ଟ୍ରପତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଟ୍ବିଟର ହ୍ୟାଣ୍ଡଲରେ ଖ୍ରୀଷ୍ଟମାସର ଏକ ଭିଡିଓ ସେୟାର କରି ରାଜ୍ୟବାସୀ ଶୁଭେଚ୍ଛା ଜଣାଇଛନ୍ତି ଏବଂ ସମସ୍ତଙ୍କ ଜୀବନ ସୁଖଶାନ୍ତିରେ ପରିପୂର୍ଣ୍ଣ ହେଉ ବୋଲି କାମନା କରିଛନ୍ତି ।

ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଟ୍ବିଟ୍ କରିଛନ୍ତି, ପବିତ୍ର ଖ୍ରୀଷ୍ଟମାସ ଅବସରରେ ଦେଶବାସୀଙ୍କୁ ମୋର ଶୁଭେଚ୍ଛା । ଏହା ଏପରି ଏକ ପର୍ବ ଯାହା ପ୍ରେମ, କରୁଣା ଏବଂ କ୍ଷମା ମୂଲ୍ୟବୋଧ ଉପରେ ଆମ ବିଶ୍ବାସକୁ ପୁନଃଜୀବିତ କରେ ।

Related Posts