ରାୟଗଡ଼ା(ସତ୍ୟପାଠବ୍ୟୁରୋ ): ଆମ୍ବୁଲାନ୍ସ କିମ୍ବା ମହାପ୍ରୟାଣ ଗାଡ଼ି ନ ମିଳିବାରୁ ଜଣେ ଛାତ୍ରଙ୍କ ମୃତଦେହ ପରିବାର ଲୋକେ ବାଇକରେ ବୋହି ନେଇଥିବା ଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ରାୟଗଡ଼ା ଜିଲ୍ଲା କୋଲନାରା ବ୍ଲକ ସୁରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଙ୍କ ମ୍ୟାଲେରିଆରେ ମୃତ୍ୟୁ ହୋଇଥିଲା। ହେଲେ ମୃତଦେହ ନେବା ପାଇଁ ମିଲିଲାନି ମହାପ୍ରୟାଣ ଗାଡ଼ି କିମ୍ବା ଆମ୍ବୁଲାନ୍ସ। ଏପରିକି କେହି ସହଯୋଗର ହାତ ନ ବଢ଼ାଇବାରୁ  ପରିବାର ଲୋକେ ବାଇକରେ ମୃତଦେହ ନେଇଥିବା ଦେଖିବାକୁ ମିଳିଥିଲା। ଲାଲିନୀ ଗାଁର ରମେଶ ଉଲକାର ପୁଅ ୪ ଦିନରେ ମ୍ୟାଲେରିଆ ଜ୍ବାରରେ ପୀଡ଼ିତ ଥିଲେ।କିନ୍ତୁ ହଷ୍ଟେଲ କର୍ତ୍ତୃପକ୍ଷ ତାଙ୍କୁ ଡାକ୍ତରଖାନାରେ ନେଇ ନଥିଲେ। ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଆମ୍ବୁଲାନ୍ସ ଯୋଗେ କୋଲନରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ମୃତ୍ୟୁ ପରେ ପ୍ରାୟ ୨ ଘଣ୍ଟା ଧରି ମେଡିକାଲରେ ଶବ ପଡ଼ି ରହିଥିବାବେଳେ ସରକାରୀ ହେଲପ ଲାଇନକୁ ଯୋଗାଯୋଗ କରିବା ସତ୍ତ୍ବେ ମହାପ୍ରୟାଣ ଗାଡ଼ି ନ ମିଳିବାରୁ ପରିବାର ଲୋକେ ବାଇକ ଛାତ୍ରଙ୍କ ମୃତଦେହ ଗାଁକୁ ନେଇ ଯାଇଥିଲେ। ହେଲେ ବିଡ଼ମ୍ବନାର ବିଷୟ ସ୍କୁଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବି କୌଣସି ସହଯୋଗ କରାଯାଇ ନଥିବା ଅଭିଯୋଗ ହୋଇଛି। ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ଏବଂ ପରିବହନ ବ୍ୟବସ୍ଥାର ଅଭାବ ଯୋଗୁଁ ଏଭଳି ଘଟଣା ବାରମ୍ବାର ହେଉଥିବାବେଳେ ଏ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି।