ବୌଦ୍ଧ(ସତ୍ୟପାଠ ବ୍ୟୁରୋ ): କାଠ ଆଣିବା ପାଇଁ ଯାଇ ଉଚ୍ଛୁଳା ନଦୀରେ ଫସିଲେ ଦୁଇ ମହିଳା । ଅଗ୍ନିଶମ ବିଭାଗର ୩ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଉଭୟ ମହିଳା ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ବୌଦ୍ଧ ଜିଲ୍ଲାର ଲକ୍ଷ୍ମୀପଦର ଗାଁର ଯଶବନ୍ତି ନାୟକ ଏବଂ ତାଙ୍କ ସମ୍ପର୍କୀୟ କୁମାରୀ ମାଝୀ ଫସି ରହିଥିବାବେଳେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ରାଜ୍ୟରେ ୪ ଦିନ ହେବ ଲଗାଣ ବର୍ଷା ହେଉଥିବାବେଳେ ବିଭିନ୍ନ ନଈରେ ବଢ଼ିବାରେ ଲାଗିଛି ଜଳସ୍ତର । କାଠ ସଂଗ୍ରହ ପାଇଁ ଉଭୟ ମହିଳା ଯାଇଥିବାବେଳେ ସାଙ୍କୁଲି ନଦୀ ପାଲଝାର ଡ୍ୟାମର ତଳ ମୁଣ୍ଡରେ ଉଭୟ ଫସି ରହିଥିଲେ । ସେମାନେ ଏକ ବୁଦାକୁ ଜାବୁଡ଼ି ରହିଥିଲେ । ଜୀବନ ମରଣ ସହ ସଂଗ୍ରାମ କରୁଥିବାବେଳେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଯୁଦ୍ଧକାଳୀନ ଭିତ୍ତିରେ ଉଭୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସୁରକ୍ଷିତ ଉଦ୍ଧାର ହେବା ପରେ ପରିବାର ଲୋକେ ଆଶ୍ବସ୍ତି ଲାଭ କରିଛନ୍ତି ।