ରାୟଗଡ଼ା(ସତ୍ୟପାଠ ବ୍ୟୁରୋ ): ସରୁନି ଦାଦନ ଦୁଃଖ। ପରିବାର ଲୋକଙ୍କ ମୁହଁରେ ଆହାର ଯୋଗାଇବା କିମ୍ବା ରୋଜଗାର ଆଶାରେ ବାହାର ରାଜ୍ୟକୁ ଯାଉଛନ୍ତି ଓଡ଼ିଶା ଯୁବକ। ହେଲେ ସେଠାରେ ମାଲିକଙ୍କ ଅକଥନୀୟ ଅତ୍ୟାଚାର ସହି ନପାରି ଜୀବନ ହାରୁଥିବା ଦେଖିବାକୁ ମିଳିଛି। ଦାଦନ ଖଟିବାକୁ ଯାଇଥିବା କେରଳରେ ଜଣେ ଓଡ଼ିଆ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ରାୟଗଡ଼ା ଜିଲ୍ଲା କାଶିପୁର ବ୍ଳକର ଚନ୍ଦ୍ରଗିରି ପଞ୍ଚାୟତର ଚାନ୍ଦଗିରି ଗ୍ରାମର କୁଳଧର ଗୌଡ଼ । ସନ୍ଦେହଜନକ ଭାବେ ତାଙ୍କ ମୃତ୍ୟୁଦେହ ଗୋଟିଏ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା I କୁଳଧର କେଉଁ ପରିସ୍ଥିତିରେ ଆତ୍ମହତ୍ୟା କରିଛନ୍ତି କିମ୍ବା ତାଙ୍କୁ ହତ୍ୟା କରି ଟାଙ୍ଗି ଦେଇଛନ୍ତି ସେ ନେଇ କୌଣସି ତଥ୍ୟ ମିଳିପାରିନାହିଁ I କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ପରିବାର ସୂଚନା ଦେଇ ପାରୁନାହାନ୍ତି । ଏନେଇ ପରିବାର ବର୍ଗ ଶବକୁ ଜନ୍ମ ମାଟି କାଶିପୁର ଆଣିବା ପାଇଁ ଶ୍ରମ ବିଭାଗକୁ ନିବେଦନ କରିଛନ୍ତି I ଏଠାରେ ସୂଚନାଯୋଗ୍ୟ ଯେ ଗତକାଲି ଗୁଣପୁର ବ୍ଲକ ସଗଡା ଗ୍ରାମ ପଞ୍ଚାୟତର ଆଲଙ୍ଗଗଡ଼ା ଗ୍ରାମର ପ୍ରଦୀପ ଶବରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ଗତ ମେ ମାସରେ ଗୁଣପୁର ବ୍ଲକ ଅନ୍ତର୍ଗତ ସଗଡ଼ା ଗ୍ରାମର ଜଣେ ଯୁବତୀ ବିଲମା ଗମାଙ୍ଗ ମଧ୍ୟ ଆନ୍ଧ୍ର ପ୍ରଦେଶ ଗୋଦାବରୀ ଜିଲ୍ଳା ଭିମାବରମର ଏକ ଚିଙ୍ଗୁଡି କମ୍ପାନୀରେ କାର୍ଯ୍ୟ କରିବାକୁ ଯାଇଥିଲେ । କମ୍ପାନୀ ହଷ୍ଟେଲ ନିକଟରେ ସନ୍ଦେହଜନକ ଭାବେ ଏକ ଗଛରେ ବିଲମାଙ୍କୁ ଝୁଲନ୍ତା ମୃତ ଦେହ ମିଳିଥିଲା । ଜିଲ୍ଳାର ଯୁବକ ଯୁବତୀ ଦାଦନ ଖଟିବାକୁ ଯାଇ ଏଭଳି ଅପମୃତ୍ୟୁର ଶିକାର ହେଉଥିବାରୁ ଦାଦନ ଶ୍ରମିକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି I ୩୫ ଦିନରେ ୩ଟି ଏଭଳି ଅପମୃତ୍ୟୁ ଘଟଣା ଘଟିଛି I ରାୟଗଡା ଜିଲ୍ଲାରୁ ପାଖାପାଖି ୫୦ ହଜାରରୁ ଉର୍ଦ୍ଧ୍ବ ଯୁବକ ଯୁବତୀ ଦାଦନ ଶ୍ରମିକ ଭାବେ ଦେଶର ବିଭିନ୍ନ ରାଜ୍ୟରେ ଖଟୁଛନ୍ତି I ରାୟଗଡା ଜିଲ୍ଳାର ଅଧିକାଂଶ ଯୁବକ ଯୁବତୀ ଦକ୍ଷିଣ ଭାରତରେ ଦାଦନ ଖଟୁଛନ୍ତି I ରାୟଗଡା ଜିଲ୍ଳାର କାଶୀପୁର ଏବଂ କଲ୍ୟାଣସିଂହପୁର ବ୍ଲକରୁ ସର୍ବାଧିକ ଦାଦନ ଯାଇଥିବା ତଥ୍ୟ ଖୋଦ ସରକାର ସୂଚନା ଦେଇଛନ୍ତି I କାଶିପୁର ବ୍ଲକରେ ସର୍ବାଧିକ ଖଣି ଖାଦାନ ଓ ଶିଳ୍ପ ରହିଥିବା ବେଳେ ସେହି ଅଂଚଳରୁ ହିଁ ଦାଦନ ଖଟିବାକୁ ଅଧିକା ଯୁବକ ଯୁବତୀ ଯାଉଛନ୍ତି I
