ନୂଆପଡ଼ା, (ସତ୍ୟପାଠବ୍ୟୁରୋ): କଡ଼ା ସୁରକ୍ଷା ବଳୟକୁ ଭେଦି ଖୁଲମଖୋଲା ଲୁଟ୍‌ କରିବାକୁ ପଛାଉ ନାହାନ୍ତି ଦୁର୍ବୃତ୍ତ। ପୋଲିସକୁ ଖାତିର ନକରି ଘର ଭିତରେ ପଶି ଲୁଟ୍୍‌ ପାଟ କରି େଫରାର ହେବାରେ ସକ୍ଷମ ହେଉଛନ୍ତି। ଏଭଳି ଘଟଣା ଘଟିଛି ଜାତୀୟ ରାଜପଥ ୩୫୩ କଡ଼ରେ ଥିବା ଏସ୍‌ପି ଅମ୍ରିତପାଲ ସିଂହଙ୍କ ବାସଭବନ ନିକଟରେ ଥିବା ଏକ ଘରେ। ଅବସରପ୍ରାପ୍ତ ପ୍ରଫେସର କିଶୋର କୁମାର ବାରିକ ଓ ଶିକ୍ଷୟିତ୍ରୀ ସ୍ୱର୍ଣ୍ଣଲତା ଝାଙ୍କରଙ୍କ ଘରେ ଚୋରି ହୋଇଥିବା ଜଣାପଡ଼ିଛି। ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଘରେ ପଶି ଦୁର୍ବୃତ୍ତମାନେ ୨୫ ଲକ୍ଷ ଟଙ୍କା ମୂଲ୍ୟର ପାଟ ଶାଢ଼ି, ନଗଦ ଟଙ୍କା, ରୂପା ସାମଗ୍ରୀ ଓ ରୂପା କଏନ୍‌ ଚୋରି କରି ଫେରାର େହାଇଯାଇଛନ୍ତି। ଏ ସଂକ୍ରାନ୍ତରେ ଥାନାରେ ଅଭିଯୋଗ େହାଇଛି। ପୋଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି। ଏହାସହ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରି ବିଭିନ୍ନ ଦିଗକୁ ନେଇ ପୁଲିସ ଛାନଭିନ୍‌ କରୁଥିବା ବେଳେ ଚୋରଙ୍କୁ ଧରିବା ପାଇଁ ତଦନ୍ତ ଜୋରଦାର କରାଯାଇଛି। ଏସ୍‌ପିଙ୍କ ବାସଭବନ ନିକଟରେ ଓ ଜାତୀୟ ରାଜପଥ କଡ଼ରୁ ଘରେ ଚୋରି ଘଟଣାକୁ ନେଇ ସହରରେ ଚର୍ଚ୍ଚା ଜୋର ଧରିଛି। ପୁଲିସ ତଦନ୍ତ ପରେ ଚୋରି ଘଟଣାର ଅଧିକ ତଥ୍ୟ ସ୍ପଷ୍ଟ ହେବ। ଅପରପକ୍ଷରେ ଏସ୍‌ପିଙ୍କ ଘର ସାମ୍ନାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଥାଇ ମଧ୍ୟ ଦୁର୍ବୃତ୍ତମାନେ କିପରି ଏହି କାଣ୍ଡ ଭିଆଇଲେ, ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି।