ରାଉରକେଲା, (ସତ୍ୟପାଠବ୍ୟୁରୋ): ରେଲୱେ କଲୋନୀ ମଧୁସୂଦନପାଲିରେ ବିଳମ୍ବିତ ରାତିରେ ଅଘଟଣ ଘଟିଛି। ବନ୍ଦ ଘରେ ଶୋଇଥିବାବେଳେ ନିଆଁରେ ପୋଡ଼ି ହୋଇ ବାପାଙ୍କର ମୃତ୍ୟୁ ହୋଇଛି l ମୃତକ ହେଲେ ଜିତେନ୍ଦ୍ର ସାହା (୫୮)l ସୌଭାଗ୍ୟବଶତଃ ପାଖ ଘରେ ଶୋଇଥିବା ପୁଅ ରୋହିତ ସାହା ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି l ଖବର ପାଇ ପ୍ଲାଣ୍ଟସାଇଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବ ଜବତ କରି ଆରଜିଏଚକୁ ପଠାଇଛି l ତେବେ ଘରେ କେମିତି ନିଆଁ ଲାଗିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ। ପୋଲିସ ଏକ ଅପମୃତ୍ୟ ମାମଲା ରୁଜୁ କରି ଛାନ୍ଭିନ୍ କରୁଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ମଧୁସୂଦନପାଲିରେ ଜିତେନ୍ଦ୍ର, ପତ୍ନୀ ଓ ତାଙ୍କ ପୁଅ ରୋହିତ ରହନ୍ତି l ପତ୍ନୀ ଦେହ ଭଲ ନ ଥିବାରୁ ସେ କିଛି ଦିନ ପୂର୍ବରୁ ଝିଅ ଘରକୁ ଚାଲିଯାଇଥିଲେ। ଜିତେନ୍ଦ୍ର ଓ ତାଙ୍କ ପୁଅ ରୋହିତ ଘରେ ରହୁଥିଲେ l ଗତକାଲି ରାତିରେ ଖାଇ ସାରିବା ପରେ ଜିତେନ୍ଦ୍ର ଗୋଟିଏ ଘରେ ଓ ରୋହିତ ଅନ୍ୟ ଘରେ ଶୋଇବାକୁ ଯାଇଥିଲେ l ରାତି ପ୍ରାୟ ଦେଢଟା ପରେ ଜିତେନ୍ଦ୍ର ଶୋଇଥିବା ଘର ଜଳୁଥିବା ଦେଖି ପଡୋଶୀମାନେ ପାଟି କରିଥିଲେ l ଅଗ୍ନିଶମ କାର୍ଯ୍ୟାଳୟକୁ ଖବର ଦେବା ସହ ନିଆଁକୁ ଆୟତ୍ତ ଓ ଜିତେନ୍ଦ୍ରଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରିଥିଲେ l ଘର ଭିତର ପଟୁ ବନ୍ଦ ଥିବାରୁ ଜିତେନ୍ଦ୍ରଙ୍କୁ ଉଦ୍ଧାର କରିପାରି ନ ଥିଲେ l ଅଗ୍ନିଶମ ଗାଡି ପହଞ୍ଚିବା ପୂର୍ବରୁ ଜିତେନ୍ଦ୍ର ଘର ଭିତରେ ପୋଡି ହୋଇ ମୃତ୍ୟୁବରଣ କରିଥିଲେ l ଆଜି ସକାଳୁ େପାଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ କରୁଛି।
