ଏସ୍ସିବି ଆର୍ଥିକ ଦୁର୍ନୀତିର ଚାଲିଛି ଖୋଳତାଡ଼ ; ୨୦୭ଟି ବିଲ୍ରେ ହେରଫେର ସୂଚନା September 1, 2026 | 9:22 AMSatya Pathaବଡ ଖବରମୁଖ୍ୟ ଖବରରାଜ୍ୟ କଟକ(ସତ୍ୟପାଠବ୍ୟୁରୋ): କଟକ ଏସ୍ସିବି ଆର୍ଥିକ ଦୁର୍ନୀତିର ଖୋଳତାଡ଼ ଚାଲିଛି। ଧୀରେ ଧୀରେ ଗୁମର ଖୋଲୁଥିବାବେଳେ ଅଭିଯୁକ୍ତ ଡାଟା ଏଣ୍ଟ୍ରି ଅପରେଟର ଦିନେଶ କୁମାର ରାଉତଙ୍କୁ ନେଇ ସାମ୍ନାକୁ ଆସୁଛି ଚାଞ୍ଚଲ୍ୟକର ତଥ୍ୟ। ଏସ୍ସିବି ବଡ଼ ମେଡିକାଲ୍ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଛି। ଘଟଣାରେ ଗତ କିଛି ବର୍ଷରେ ଅନେକ ବିଲ୍ରେ ହେରଫେର୍ ନେଇ ତଥ୍ୟ ପୁଲିସ ହାତରେ ଲାଗିଛି । ସେପଟେ ଆର୍ଥିକ ହେରଫେର୍ ମାମଲାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଅଡିଟ୍ କରିବାକୁ ନିଷ୍ପତ୍ତି ହୋଇଛି। ଖୁବ୍ଶୀଘ୍ର ଏକ ଟିମ୍ ଏସ୍ସିବିରେ ପହଞ୍ଚି ଅଡିଟ୍ ଆରମ୍ଭ କରିବେ । ୨୦୧୬–୧୭ରୁ ୨୦୨୫–୨୬ ଯାଏଁ ଏହି ଅଡିଟ୍ କରାଯିବ । ଅଡିଟ୍ କରାଯିବା ପରେ ଏହାର ରିପୋର୍ଟ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରାଯିବ । ପରେ ପରବର୍ତ୍ତୀ ପଦକ୍ଷେପ ରାଜ୍ୟ ସରକାର ଗ୍ରହଣ କରିବା ନେଇ ଏସ୍ସିବି କର୍ତ୍ତୃପକ୍ଷଙ୍କ ସୂତ୍ରରୁ ସୂଚନା ମିଳିଛି । ଏସ୍ସିବିରେ କର୍ମଚାରୀଙ୍କ ଟଙ୍କା ହଡ଼ପ ଘଟଣାରେ ମାଷ୍ଟରମାଇଣ୍ଡ କୁହାଯାଉଥିବା ଡାଟା ଏଣ୍ଟ୍ରି ଅପରେଟର୍ (ଡିଇଓ) ଦୀନେଶ ରାଉତକୁ ମଙ୍ଗଳାବାଗ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏହି ମାମଲାକୁ ନେଇ ପୁଲିସ ଖୋଳତାଡ଼ ଆରମ୍ଭ କରିଛି । ସୂଚନା ଅନୁସାରେ, ୨୦୧୬ରୁ ୨୦୨୬ ଯାଏଁ ଗତ ୧୦ ବର୍ଷ ଭିତରେ ୨ ଲକ୍ଷ ୪୦ ହଜାର ଦରମା ବିଲ୍ ପ୍ରସ୍ତୁତ ହୋଇଛି । ଏଥିରେ ୨୦୭ଟି ବିଲ୍ରେ ହେରଫେର ହୋଇଥିବା ବର୍ତ୍ତମାନ ସୁଦ୍ଧା ଠାବ ହୋଇଛି। ଅର୍ଥାତ୍ ବାର୍ଷିକ ୨୦ଟି ବିଲ୍ରେ ହେରଫେର୍ ହୋଇଥିବା ପୁଲିସ ତଦନ୍ତ ସମୟରେ ଜାଣିବାକୁ ପାଇଛି ।