ବାରିପଦା(ସତ୍ୟପାଠବ୍ୟୁରୋ) : ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ମୟୂରଭଞ୍ଜ ଜିଲ୍ଲାରେ ପୁଣି ବନ୍ୟା ଆଶଙ୍କା ଦେଖାଯାଇଛି। ବୁଢ଼ାବଳଙ୍ଗ ନଦୀର ଜଳସ୍ତର ଦ୍ରୁତଗତିରେ ବଢ଼ୁଛି । ବାରିପଦା ସହରର ଅସ୍ତିଆ ପୋଲ ନିକଟରେ ପାଣି ସତର୍କ ସ୍ତର ଛୁଇଁବାକୁ ଲାଗିଛି । ନଦୀର ଜଳପତ୍ତନ ବଢ଼ିବା ଯୋଗୁଁ ସହରର ବିଭିନ୍ନ ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ ଆରମ୍ଭ ହୋଇଛି । ବାରିପଦା ମ୍ୟୁନିସିପାଲଟିର ୭, ୮ ଓ ୯ ନମ୍ବର ୱାର୍ଡର ପ୍ରାୟ ୨୦୦ ଘର ବର୍ତ୍ତମାନ ପାଣି ଘେରରେ । ବିଶେଷକରି ମଧୁବନ ସମେତ ବିଭିନ୍ନ ତଳିଆ ସାହି ଓ ବସ୍ତି ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିବାରୁ ଲୋକଙ୍କ ମଧ୍ୟରେ ଭୟ ଓ ଆଶଙ୍କା ବଢ଼ିଛି । କେବଳ ବୁଢ଼ାବଳଙ୍ଗ ନୁହେଁ, ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଛୋଟବଡ଼ ଶାଖା ନଦୀ ଓ ନାଳରେ ମଧ୍ୟ ଜଳସ୍ତର ଦ୍ରୁତଗତିରେ ବୃଦ୍ଧି ପାଉଛି ।