ଆଉ ନାହାନ୍ତି ଓଲିଉଡର ବରିଷ୍ଠ କଳାକାର ମିହିର ଦାସ | ଆରପାରିକୁ ଚାଲିଯାଇଛନ୍ତି ମିହିର ଦାସ | ତାଙ୍କ ଵିୟୋଗକୁ ନେଇ ଓଲିଉଡ ଜଗତରେ ଦୁଃଖର ଲହରୀ ଖେଳିଯାଇଛି | ବହୁ ବରିଷ୍ଠ ବ୍ୟକ୍ତିଙ୍କଠାରୁ ନେଇ କଳାକାର ମିହିରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ମିହିରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ମୋଦି ଟ୍ବିଟ କରି କହିଛନ୍ତି ବିଶିଷ୍ଟ ଓଡିଆ ଅଭିନେତା ମିହିର ଦାସଙ୍କ ଦେହାନ୍ତରେ ମୁଁ ଦୁଃଖିତ । ଅଭିନୟ ଜଗତରେ ତାଙ୍କ ଲମ୍ବା ଯାତ୍ରାରେ ସେ ଅନେକଙ୍କ ହୃଦୟ ଜିତିଛନ୍ତି । ଅଭିନୟରେ ତାଙ୍କର ସୃଜନଶୀଳ ପ୍ରଦର୍ଶନ ଯୋଗୁଁ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତାଙ୍କ ପରିବାର ପ୍ରତି ମୋର ସମବେଦନା ବୋଲି ଟ୍ବିଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ମିହିର ତାଙ୍କ ନାମର ଅର୍ଥ ସୂର୍ଯ୍ୟ । କଳାଜଗତରେ ସୂର୍ଯ୍ୟଙ୍କ ପରି ତେଜିୟାନ ଚେହେରା ଆଉ ଦେଖିବାକୁ ପାଇବେନି ଦର୍ଶକ । ଅସ୍ତମିତ ମିହିର । ତାଙ୍କ ରକ୍ତରେ ଅଭିନୟ ଥିଲା । ପ୍ରତିଟି ଚରିତ୍ରରେ ସେ ନିଜରୁ ହଜେଇ ଦେଉଥିଲେ । ଓଲିଉଡକୁ ଦେଇଥିଲେ ଜୀବନର ଶ୍ରେଷ୍ଠ 4 ଦଶନ୍ଧି । ଦର୍ଶକଙ୍କୁ ଭେଟି ଦେଇଛନ୍ତି 2 ଶହରୁ ଅଧିକ ସିନେମା । ଆଉ ଆଜି ଏହି ବର୍ଷିୟାନ ଅଭିନେତା ମିହିର ଦାସ ଫେରିଯାଇଛନ୍ତି ଅଫେରା ରାଇଜକୁ । ସତୀଚଉରା ଶ୍ମଶାନରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି । ଶେଷ ଯାତ୍ରା ସମୟରେ ନିଜ ପ୍ରିୟ ଅଭିନେତାକୁ ଦେଖିବା ପାଇଁ ଶ୍ମଶାନ ପରିସରରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି ।