ଶେଷଯାତ୍ରାରେ ଓଡିଆ ଫିଲ୍ମ ଅଭିନେତା ମିହିର ଦାସ, ସତୀଚଉରା ଶ୍ମଶାନରେ ଦିଆଗଲା ଗାର୍ଡ ଅଫ୍ ଅନର

ଓଡିଆ ଫିଲ୍ମ ଅଭିନେତା ମିହିର ଦାସଙ୍କ ଶେଷଯାତ୍ରା ସତୀଚଉରା ଶ୍ମଶାନରେ ଶେଷ ହୋଇଛି | ସତୀଚଉରା ଶ୍ମଶାନରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି । ଶେଷ ଯାତ୍ରା ସମୟରେ ନିଜ ପ୍ରିୟ ଅଭିନେତାକୁ ଦେଖିବା ପାଇଁ ଶ୍ମଶାନ ପରିସରରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଝିପଝିପ୍ ବର୍ଷା ହେଉଥିବା ସତ୍ତେ୍ୱ ଅନେକ ଲୋକ ଛତା ଧରି ନିଜ ପ୍ରିୟ ଅଭିନେତାଙ୍କୁ ଟିକେ ଦେଖିବାକୁ ଗହଳି କରିଥିବା ଦେଖିବାକୁ ମିଳିଛି ।

ତେବେ ଆଉ କିଛି ସମୟ ପରେ ମିହିର ଦାସଙ୍କ ହେବ ଶେଷକୃତ୍ୟ । ଶୋଭାଯାତ୍ରାରେ ମିହିର ଦାସଙ୍କ ପାର୍ଥିବ ଶରୀରକୁ କଟକ ସିଡିଏ ବାସଭବନରୁ ସ୍ଥିତ ସତୀଚଉରା ଶ୍ମଶାନକୁ ନିଆଯାଇଛି । ସେଠାରେ ରାଷ୍ଟ୍ରୀୟ ସମ୍ମାନର ସହ ତାଙ୍କ ଅନ୍ତିମ ସଂସ୍କାର କରାଯିବ । ତେବେ ମିହିରଙ୍କୁ ତାଙ୍କ ବଡ ପୁଅ ତଥା ଅଭିନେତା ଅମ୍ଲାନ ମୁଖାଗ୍ନି ଦେବେ ।ଗତକାଲି କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା ।

ସୂଚନାଯୋଗ୍ୟ, ଦୀର୍ଘ ଦିନ କିଡନୀ ରୋଗରେ ଆକ୍ରାନ୍ତ ହେବା ପରେ ଗୁରୁତର ହୋଇପଡିଥିଲେ ମିହିର ଦାସ । ଏହାପରେ ତାଙ୍କର ଏକାଧିକ ଅଙ୍ଗ ଅକାମୀ ହୋଇଯାଇଥିଲା । ମାସେରୁ ଅଧିକ ସମୟ ହେବ ଆଇସିୟୁରେ ରହିବା ପରେ ଶେଷରେ ସେ ଗତକାଲି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ଅନେକ କଳାକାର ଶୋକ ପ୍ରକାଶ କରିଛନ୍ତି । ବହୁମୁଖୀ ପ୍ରତିଭାର ଅଧିକାର ଏହି କଳାକାର ଦୀର୍ଘ ଚାରି ଦଶନ୍ଧି ହେବ ନିଜର ଅଭିନୟ ଯାତ୍ରା ଜାରି ରଖିଥିଲେ । ୧୯୮୦ରେ ରିଲିଜ ହୋଇଥିବା ରାମାୟଣ ଚଳଚ୍ଚିତ୍ରରେ ଶତ୍ରୁଘ୍ନ ଭୂମିକାରେ ଅଭିନୟ କରି ନିଜର ସିନେ ଯାତ୍ରା ଆରମ୍ଭ କରିଥିଲେ ମିହିର ଦାସ ।

Related Posts