କଟକରେ ନକଲି ସିମେଣ୍ଟ ଗୋଦାମ ଠାବ, କମିଶନରେଟ ପୋଲିସର ଚଢ଼ାଉ ଜାରି

ସତ୍ୟପାଠ 03/01 କଟକ: ନକଲି କାରଖାନାର ପେଣ୍ଠ କଟକରୁ ପୁଣି ଏକ ଦୁଇ ନମ୍ବରୀ କାରଖାନା ଠାବ କରିଛି କମିଶନରେଟ ପୋଲିସ। ଜଗତପୁର ପୀରବଜାର ଚମ୍ପତ୍ତିଠାରେ ନକଲି ସିମେଣ୍ଟ ଗୋଦାମ ଠାବ ପରେ ଚାଲିଛି ଚଢ଼ାଉ । ବିଭିନ୍ନ ବ୍ରାଣ୍ଡର ବିପୁଳ ପରିମାଣର ସିମେଣ୍ଟ ଜବତ କରାଯାଇଛି । କମିଶନରେଟ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି । ଚଢ଼ାଉ ବେଳେ ଗୋଟିଏ କି ଦୁଇଟି ନୁହେଁ ୪ଟି ବ୍ରାଣ୍ଡର ନକଲି ସିମେଣ୍ଟ ପ୍ରସ୍ତୁତ ହେଉଥିବା ଜଣାପଡିଛି । ବ୍ରହ୍ମପୁରରୁ ବ୍ରାଣ୍ଡର ଜରି ଆସୁଥିଲା । ଏଠାରେ ମୁଣ୍ଡା ଓ ନଷ୍ଟ ସିମେଣ୍ଟକୁ ଗୁଣ୍ଡ କରି ସମେଣ୍ଟ ପ୍ୟାକେଟରେ ଭର୍ତ୍ତି କରାଯାଉଥିଲା । ଦୁଇଟି ଗୋଦାମରୁ ପ୍ରାୟ ୧ ହଜାରରୁ ଅଧିକ ବସ୍ତା ସିମେଣ୍ଟ ଜବତ କରାଯିବା ସହ ଜଣଙ୍କୁ ଅଟକ ରଖିଛି ପୋଲିସ । ସୂଚନାଯୋଗ୍ୟ, କଟକରୁ ଖାଇବା ତେଲ, ଜର୍ଦା, ସସଠାରୁ ଆରମ୍ଭ କରି ଏକାଧିକ ନକଲି କାରଖାନା ଗୋଟିକ ପରେ ଗୋଟିଏ ଠାକ ହେଉଛି । ତଥାପି ନକଲି କାରଖାନାର ବ୍ରାଣ୍ଡ ସାଜିଥିବା କଟକରେ ଏହି ବେଆଇନ କାରବାର ରୋକିବାକୁ ଜିଲ୍ଲା ପ୍ରଶାସନ ସକ୍ଷମ ହୋଇପାରୁନାହିଁ । ପୋଲିସ ଚଢାଉ କରୁଛି, ନକଲି କାରଖାନା ଠାକ ହୋଇ ଅଭିଯୁକ୍ତ ବନ୍ଧା ହେଉଛନ୍ତି । କିଛିଦିନ ପରେ ପୁଣି କଟକ ନକଲି କାରବାରକୁ ନେଇ ଚର୍ଚ୍ଚାକୁ ଆସୁଛି । ବଦଳି ଯାଉଛି ସ୍ଥାନ ଓ ବଦଳି ଯାଉଛି ସାମଗ୍ରୀର ରୂପ । ଅସଲି ପରି ଦିଶୁଥିବା ଖୋଳ ଭିତରେ ବିକ୍ରି ହେଉଛି ନକଲି ମାଲ୍ । ଯାହାର ବେପାର କେବଳ କଟକରେ ହିଁ ସୀମିତ ନରହି ଜିଲ୍ଲା ବାହାରକୁ ମଧ୍ୟ କାୟା ମେଲାଇଛି ।

Related Posts