ରାଉରକେଲା, (ସତ୍ୟପାଠବ୍ୟୁରୋ ): ରାଉରକେଲା ସର୍କିଟ୍ ହାଉସ୍ରୁ ବନ୍ଧୁକ ମିଳିବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଏହାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧୀନରେ ରହିଥିବା ସର୍କିଟ୍ ହାଉସ୍‌ଗୁଡ଼ିକର ବ୍ୟବସ୍ଥାକୁ ନେଇ ମଧ୍ୟ ନୂଆ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ରାଉରକେଲା ସର୍କିଟ୍ ହାଉସ୍ ଘଟଣାରେ ଓଡ଼ିଶା ସର୍କିଟ୍ ହାଉସ୍ ଆକ୍ଟର କୌଣସି ଅପବ୍ୟବହାର ହୋଇଛି କି ନାହିଁ, ସେନେଇ ଏକ ସ୍ୱତନ୍ତ୍ର ଟିମ୍ ତଦନ୍ତ କରୁଛି । ତଦନ୍ତରେ ଯଦି କୌଣସି ଅନିୟମିତତା କିମ୍ବା ନିୟମ ଉଲ୍ଲଂଘନ ସାମ୍ନାକୁ ଆସେ, ତେବେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି । ଏହାସହ ରାଉରକେଲା ସର୍କିଟ୍ ହାଉସ୍‌କୁ ସାମୟିକ ଭାବେ ବନ୍ଦ କରାଯାଇଥିବା ମନ୍ତ୍ରୀ କହିଛନ୍ତି। ସର୍କିଟ୍ ହାଉସ୍‌ର ଦାୟିତ୍ୱରେ ଥିବା ଅଧିକାରୀ ମଧ୍ୟ ଦାୟିତ୍ୱରୁ ଅପସାରଣ କରାଯାଇଛି। ଅନ୍ୟପକ୍ଷରେ ରାଉରକେଲା ଘଟଣା ପରେ ସାରା ଓଡ଼ିଶାର ସର୍କିଟ୍ ହାଉସ୍ ପାଇଁ ନୂଆ ନିୟମ ଆଣିବାକୁ ସରକାର ଯୋଜନା କରୁଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଓଡ଼ିଶା ଭବନ ଭଳି ସର୍କିଟ୍ ହାଉସ୍ ପାଇଁ ମଧ୍ୟ ଅନଲାଇନ୍ ବୁକିଂ ବ୍ୟବସ୍ଥା କରାଯିବ। ଏହା ଦ୍ୱାରା କିଏ, କେଉଁ ଉଦ୍ଦେଶ୍ୟରେ ଓ କେଉଁ ଅନୁମତି ଆଧାରରେ ସର୍କିଟ୍ ହାଉସ୍ ବ୍ୟବହାର କରୁଛନ୍ତି, ତାହାର ଏକ ବ୍ୟବସ୍ଥିତ ରେକର୍ଡ ରହିପାରିବ। ତେବେ ରାଉରକେଲା ଘଟଣାରେ କେଉଁ ନିୟମର ଉଲ୍ଲଂଘନ ହୋଇଛି ଏବଂ କେଉଁମାନେ ଏଥିପାଇଁ ଦାୟୀ, ତାହା ବିଭାଗୀୟ ତଦନ୍ତ ପରେ ସ୍ପଷ୍ଟ ହେବ। ଦୋଷୀ ପ୍ରମାଣିତ ହେଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି।