କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଶେଷ ହେଲା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍: ଦିନ ଗୋଟାଏ ସୁଦ୍ଧା ୬୦ ପ୍ରତିଶତ ମତଦାନ

ଶେଷ ହେଲା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ । କଡା ସୁରକ୍ଷା ମଧ୍ୟରେ ଶେଷ ହୋଇଛି ମତଦାନ ପକ୍ରିୟା | ରାଜ୍ୟ ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ଦିନ ଗୋଟାଏ ସୁଦ୍ଧା ୬୦ ପ୍ରତିଶତ ମତଦାନ ହୋଇଛି | ବେଶ ଉତ୍ସାହ ର ସହ ମତଦାତା ମାନେ ମତଦାନ କରିଛନ୍ତି | ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିଥିଲା ମତଦାନ ।

ବିଭିନ୍ନ ସ୍ଥାନରେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ପ୍ରଥମ ପର୍ଯ୍ୟାୟରେ ୨୩ଟି ସ୍ଥାନରେ ମତଦାନ ବନ୍ଦ ରହିଥିବା ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ମିଳିଛି । ୨୩ଟି ସ୍ଥାନ ମଧ୍ୟରୁ ଗୋଟିଏ ଜିଲ୍ଲା ପରିଷଦ, ୬ଟି ସରପଞ୍ଚ ପଦବୀ, ୩ଟି ପଞ୍ଚାୟତ ସମିତି ସଭ୍ୟ, ୧୩ଟି ଓ୍ବାର୍ଡମେମ୍ବର ପଦବୀରେ ନିର୍ବାଚନ ବନ୍ଦ ହୋଇଛି । ଆଉ ୪ ପର୍ଯ୍ୟାୟ ମତଦାନ ବାକିଥିବା ବେଳେ ଉକ୍ତ ସମୟରେ ଖାଲି ଥିବା ସ୍ଥାନରେ ମଧ୍ୟ ନିର୍ବାଚନ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ସୂତ୍ରରୁ ପ୍ରକାଶ ।

ପ୍ରଥମ ପର୍ଯ୍ୟାୟରେ ଆଜି ୨ଶହ ଜିଲ୍ଲା ପରିଷଦ ଜୋନ୍ ଓ ୧ ହଜାର ୬ ଶହ ୬୯ ସରପଞ୍ଚ ଓ ସମାନ ସଂଖ୍ୟକ ସମିତି ସଭ୍ୟ ପଦ ପାଇଁ ଭୋଟ୍ ଗ୍ରହଣ ହୋଇଛି। ଭୋଟ୍ ଗ୍ରହଣ ସରିବା ପରେ ବାଲାଟ୍ ବକ୍ସଗୁଡ଼ିକୁ ସିଲ୍ କରାଯାଇଛି ।

Related Posts