କନ୍ଧମାଳ ସାଡ଼ିଙ୍ଗିଆ କିଆମୁଣ୍ଡା ନିକଟରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଜଣେ ମୃତ

ପୁଣି ନିଜ ଉପସ୍ଥିତି ଜାହିର କଲେ ମାଓବାଦୀ | କଲେ ଲ୍ୟାଣ୍ଡମାଇନ ବିସ୍ଫୋରଣ | ଫଳରେ ଅକାଳରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ | କନ୍ଧମାଳ ଜିଲ୍ଲା ଫୁଲବାଣୀ ନିକଟ ଫିରିଙ୍ଗିଆ ଥାନା ସାଡ଼ିଙ୍ଗିଆ କିଆମୁଣ୍ଡା ନିକଟରେ ହୋଇଛି ଏହି ବିସ୍ଫୋରଣ । ମୃତ ଯୁବକ ଜଣଙ୍କ କିଆମୁଣ୍ଡା ଗାଁର ପ୍ରିୟରଞ୍ଜନ କହଁର ।

ବିସ୍ଫୋରଣ ସ୍ଥଳ ନିକଟରେ ଗତକାଲି(ମଙ୍ଗଳବାର) ମାଓବାଦୀ ପୋଷ୍ଟର ମାରିଥିଲେ । ପୋଷ୍ଟର ମାରିବା ସହ ଠିକାଦାରଙ୍କ ଦୁଇଟି ଜେସିବି ଜାଳି ଦେଇଥିଲେ ମାଓବାଦୀ ।

ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହାକୁ ବିରୋଧ କରି ରକ୍ତମୁଖା ହେଲେଣି ନକ୍ସଲ। ସାମ୍ବାଦିକଙ୍କ ସମେତ ସାଧାରଣ ଲୋକଙ୍କୁ ବି ଟାର୍ଗେଟ କରୁଛନ୍ତି। ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ପାଇଁ ତଥା ଆତଙ୍କ ଖେଳାଇବା ପାଇଁ ପୋଷ୍ଟର ଲଗାଉଥିବା ବେଳେ ତା’ ନିକଟରେ ଘଟାଉଛନ୍ତି ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ । କିଛି ଦିନ ପୂର୍ବେ ଏ ପ୍ରକାର ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ କଳାହାଣ୍ଡି ଜିଲ୍ଲାରେ ରୋହିତ ବିଶ୍ୱାଳ ନାମକ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଫୁଲବାଣୀ ଜିଲ୍ଲାରେ ଘଟିଛି ଏହି ସମାନ ଘଟଣା |

ଗତକାଲି ନକ୍ସଲମାନେ କିଆମୁଣ୍ଡାରେ ରାସ୍ତା କାମରେ ନିୟୋଜିତ ଥିବା ଦୁଇଟି ଜେସିବି ଗାଡ଼ିକୁ ନିଆଁ ଲଗାଇ ପୋଡ଼ିଦେଇଥିଲେ। ଏଥିସହ ସେହି ନିକଟରେ ବିଭିନ୍ନ ଜାଗାରେ ନକ୍ସଲ ପୋଷ୍ଟର ଏବଂ ଲାଲ ବ୍ୟାନର ଲଗାଇଥିଲେ । ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବା ସହ ଓ ସ୍ଥାନୀୟ ଅଞ୍ଚଳରେ ଉନ୍ନୟନ କାମକୁ ବିରୋଧ କରି ନକ୍ସଲମାନେ ଏହି ପୋଷ୍ଟର ଲଗାଇଥିଲେ । ସାଡ଼ିଙ୍ଗିଆ ନକ୍ସଲ ଉପଦ୍ରବ ଅଞ୍ଚଳ ହୋଇଥିବା ବେଳେ ସେଠାରେ ସେମାନଙ୍କ ଅବାଧ ଚଳପ୍ରଚଳ ରହିଛି | ଏଥିପାଇଁ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଖବରପାଇ ଗତକାଲି ବମ୍‌ ସ୍ୱାର୍ଡ ଟିମ୍‌ ପହଞ୍ଚି ବମ୍‌ ଓ ଲ୍ୟାଣ୍ଡମାଇନ୍‌ ନିଷ୍କ୍ରିୟ କରିଥିଲା।

Related Posts