କରୋନା କବଳରେ ‘କଟପ୍ପା’, ଆରୋଗ୍ୟ କାମନା କରି ଚାଲିଛି ପୂଜାର୍ଚ୍ଚନା

ଫିଲ୍ମ ‘ବାହୁବଳୀ’ରେ କଟପ୍ପା ଚରିତ୍ରରେ ଅଭିନୟ କରିଥିବା ସତ୍ୟରାଜଙ୍କୁ କରୋନା | ପଜିଟିଭ୍ ଚିହ୍ନଟ ହେଵା ପରେ ତାଙ୍କୁ ଚେନ୍ନାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯଦିଓ ଏ ପର୍ଯ୍ୟନ୍ତ ତାଙ୍କ ସ୍ୱାସ୍ଥ୍ୟ ସହ ଜଡିତ କୌଣସି ବି ସୂଚନା ସାମ୍ନାକୁ ଆସି ନାହିଁ। ଚଳଚ୍ଚିତ୍ର ନିର୍ମାତା ଭାମସି ଶେଖର ଟ୍ୱିଟର ଜରିଆରେ ଏହି ଖବରକୁ ନିଶ୍ଚିତ କରିଛନ୍ତି। ସେ ଟ୍ୱିଟରେ ଲେଖିଛନ୍ତି, ‘ଅଭିନେତା ସତ୍ୟରାଜ କୋଭିଡ୍‌ ପଜିଟିଭ୍ ମିଳିଛନ୍ତି ଏବଂ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି’। କହି ରଖୁଛୁ କି, ସତ୍ୟରାଜଙ୍କ ପୂର୍ବରୁ ଚଳଚ୍ଚିତ୍ର ନିର୍ମାତା ପ୍ରିୟଦର୍ଶନଙ୍କୁ କରୋନା ହୋଇଥିବାର ଖବର ସାମ୍ନାକୁ ଆସିଥିଲା।

ସତ୍ୟରାଜଙ୍କ ଜୀବନର ସବୁଠାରୁ ବଡ଼ ମାଇଲଷ୍ଟୋନ ଚଳଚ୍ଚିତ୍ର ଥିଲା ବାହୁବଳୀ। ‘କଟପ୍ପା’ର ଆଇକନିକ୍ ଚରିତ୍ରରେ ଅଭିନୟ କରି ସତ୍ୟରାଜ କୋଟି କୋଟି ଲୋକଙ୍କ ହୃଦୟରେ ନିଜର ସ୍ଥାନ ସୃଷ୍ଟି କରିଥିଲା। ତେବେ ସତ୍ୟରାଜ କଟପ୍ପାର ରୋଲ ପାଇଁ ନିର୍ଦ୍ଦେଶକ ରାଜମୌଳୀଙ୍କର ପ୍ରଥମ ପସନ୍ଦ ନ ଥିଲେ। ପ୍ରଥମେ ଏହି ଭୂମିକା ମାଲାୟାଲମ୍ ଚଳଚ୍ଚିତ୍ରର ସୁପରଷ୍ଟାର୍ ମୋହନଲାଲଙ୍କୁ ଅଫର କରାଯାଇଥିଲା। ଯଦିଓ ପରେ ମୋହନଲାଲ ଏହି ଚଳଚ୍ଚିତ୍ର କରିପାରି ନ ଥିଲେ ଏବଂ ଏହି ଚଳଚ୍ଚିତ୍ରରେ ସତ୍ୟରାଜଙ୍କ ଏଣ୍ଟ୍ରି ହୋଇଥିଲା।

ସତ୍ୟରାଜଙ୍କ ଚଳଚ୍ଚିତ୍ର କ୍ୟାରିୟର ବିଷୟରେ କଥା ହେବା ତ ୨୨ ବର୍ଷ ବୟସରେ ସେ ଚଳଚ୍ଚିତ୍ରରେ ନିଜର କ୍ୟାରିୟର କରିବାକୁ ସ୍ଥିର କରିଥିଲେ। ଯଦିଓ ତାଙ୍କ ମା’ ଚାହୁଁ ନ ଥିଲେ ଯେ ସେ ଅଭିନେତା ହୁଅନ୍ତୁ। ୧୯୭୮ରେ ଆସିଥିବା ଚଳଚ୍ଚିତ୍ର ‘ସତ୍ୟମ୍ ଏନ୍ କୟିଇଲ’ରେ ସେ ଅଭିନେତା ଭାବରେ ଡେବ୍ୟୁ କରିଥିଲେ। ଏହାପରେ ପ୍ରଡକ୍ସନ୍ ମ୍ୟାନେଜର ଭାବରେ କାମ କରିବା ଆରମ୍ଭ କରିଥିଲେ। ଯଦିଓ ଲିଡ୍‌ ଆକ୍ଟର ରୂପେ ସତ୍ୟରାଜ ୧୯୮୫ରେ ଆସିଥିବା ଫିଲ୍ମ ‘ସାଭି’ରେ କାମ କରିଥିଲେ। ତାମିଲ ଏବଂ ତେଲୁଗୁ ଚଳଚ୍ଚିତ୍ର ବ୍ୟତୀତ ସତ୍ୟରାଜ କିଛି ବଲିଉଡ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ସେ ‘ଚେନ୍ନାଇ ଏକ୍ସପ୍ରେସ’ରେ ଦୀପିକା ପାଦୁକୋନଙ୍କ ବାପା ଭୂମିକାରେ ଅଭିନୟ କରିଥିଲେ।

Related Posts