କରୋନା ରିପୋର୍ଟ ନେଗେଟିଭ ଥିଲେ ମଧ୍ଯ ବିଦେଶରୁ ଆସିଲେ କ୍ୱାରେଣ୍ଟିନ ବାଧ୍ୟତାମୂଳକ: ଭାରତ ସରକାର

ଦେଶରେ ବଢୁଛି କରୋନା ସଂକ୍ରମଣ । ସେପଟେ ବଢ଼ୁଥିବା ସଂକ୍ରମଣ କୁ ଦୃଷ୍ଟିରେ ରଖି ବିଦେଶ ଫେରନ୍ତାଙ୍କ ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି ଭାରତ ସରକାର। ପୂର୍ବରୁ କେବଳ ଆଟ ରିସ୍କ ଦେଶରୁ ଆସୁଥିବା ବିଦେଶ ଫେରନ୍ତାଙ୍କ ପାଇଁ ବାଧ୍ୟତାମୂଳକ କ୍ୱାରେଣ୍ଟିନ ବ୍ୟବସ୍ଥା ଥିଲାବେଳେ ଏବେ ସବୁ ବିଦେଶ ଫେରନ୍ତାଙ୍କ ପାଇଁ କ୍ୱାରେଣ୍ଟିନ ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଇଛି।

ବିଦେଶ ଫେରନ୍ତାରଙ୍କ ରିପୋର୍ଟ ନେଗେଟିଭ ଥିଲେ ମଧ୍ୟ ସେମାନଙ୍କୁ ୭ ଦିନ ବାଧ୍ୟତାମୂଳକ ଭାବେ କ୍ୱାରେଣ୍ଟିନରେ ରହିବା ପଡ଼ିବ। ତେବେ ରିପୋର୍ଟ ପଜିଟିଭ ଆସିଲେ ସରକାରୀ କ୍ୱାରେଣ୍ଟିନରେ ରହିବାକୁ ହେବ। ସେହିପରି ପଜିଟିଭ ଚିହ୍ନଟ ହେଉଥିବା ବିଦେଶ ଫେରନ୍ତାଙ୍କ ନମୁନାକୁ ଜେନୋମ ସିକ୍ୱେନ୍ସିଂ ପାଇଁ ପଠାଯିବ। ଏହି ନୂଆ ନିୟମ ଜାନୁଆରୀ ୧୧ରୁ କାର୍ଯ୍ୟକାରୀ ହେବ।

ଗାଇଡ ଲାଇନରେ କୁହାଯାଇଛି ଯେ ବିଦେଶ ଫେରନ୍ତାମାନେ ନେଗେଟିଭ ରିପୋର୍ଟ ଦେଖାଇଲେ ମଧ୍ୟ ଏୟାରପୋର୍ଟରେ ସେମାନଙ୍କର ଆରଟିପିସିଆର ଟେଷ୍ଟ କରାଯିବ। ରିପୋର୍ଟ ନେଗେଟିଭ ଆସିଲେ ମଧ୍ୟ ସେମାନଙ୍କୁ ୭ ଦିନ ବାଧ୍ୟତାମୂଳକ ହୋମ କ୍ୱାରେଣ୍ଟିନରେ ରହିବାକୁ ହେବ। ୮ମ ଦିନ ସେମାନେ ପୁଣି ଆରଟି-ପିସିଆର ଟେଷ୍ଟ କରିବେ। ୮ମ ଦିନ ସେମାନେ କରିଥିବା ଆରଟିପିସିଆର ଟେଷ୍ଟ ରିପୋର୍ଟକୁ ଭାରତ ସରକାରଙ୍କ ଏୟାର ସୁବିଧା ପୋର୍ଟାଲରେ ଅପଲୋଡ କରିବେ। ଏହାକୁ ସଂପୃକ୍ତ ରାଜ୍ୟ ସରକାର ତଦାରଖ କରିବେ। ୮ମ ଦିନରେ ରିପୋର୍ଟ ନେଗେଟିଭ ଆସିଲେ ମଧ୍ୟ ଆଉ ୭ ଦିନ ବିଦେଶରୁ ଆସିଥିବା ଲୋକଙ୍କୁ ନିଜ ସ୍ୱାସ୍ଥ୍ୟ ଉପରେ ନଜର ରଖିବାକୁ ହେବ। ଆଇସୋଲେସନ ପାଇଁ ଘରେ ସୁବିଧା ରହିଥିବା ଦରକାର। ଆଇସୋଲେସନ ବେଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କରିଥିବା ସମସ୍ତ ପ୍ରୋଟକଲକୁ ଅନୁପାଳନ କରିବାକୁ ପଡ଼ିବ।

ବିମାନରେ ବସିବା ପୂର୍ବରୁ ଯାତ୍ରୀମାନେ ଗୋଟିଏ ଘୋଷଣାନାମା ଫର୍ମ ଓ ଆରଟିପିସିଆର ନେଗେଟିଭ ରିପୋର୍ଟ ଏୟାର ସୁବିଧା ପୋର୍ଟାଲରେ ଅପଲୋଡ କରିବେ। ଏଥିସହ ଏୟାରପୋର୍ଟରେ ଟେଷ୍ଟ କରିବା ପାଇଁ ସେମାନଙ୍କୁ ଆଗୁଆ ବୁକିଂ କରିବାକୁ ପଡ଼ିବ। ଏୟାରପୋର୍ଟରେ ପହଞ୍ଚିବା ପରେ ସ୍ୱାସ୍ଥ୍ୟକର୍ମୀମାନେ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ।

Related Posts