କୋରେଇରୁ ଲଢିବେ ବବିଙ୍କ ମା’

ଭୁବନେଶ୍ୱର,୦୨/୫(ସତ୍ୟପାଠ ବ୍ୟୁରୋ): ଆଜି ବିଜୁ ଜନତା ଦଳର ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି | ଆଉ ଶେଷ ପର୍ଯ୍ୟାୟରେ ଯାଜପୁର ଜିଲ୍ଲାର କୋରେଇ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ | କୋରେଇରୁ ଏଥର ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମା ସନ୍ଧ୍ୟାରାଣୀ ଦାସଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି | ବବି ଏଥର ସମ୍ବଲପୁର ଲୋକସଭାରୁ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ତାଙ୍କ ମା’ଙ୍କୁ କୋରେଇ ଟିକେଟ ଦେଇଛି ଦଳ | ତେବେ କୋରେଇ ଟିକେଟ ପାଇଁ ଏଥର ଦଳର ସଂଗଠନ ସମ୍ପାଦକ ବବି ଦାସ ଓ ମନ୍ତ୍ରୀ ତଥା ସୁକିନ୍ଦାର ବିଧାୟକ ପ୍ରୀତି ରଞ୍ଜନ ଘଡ଼ାଇଙ୍କ ମଧ୍ୟରେ ଟଣା ଓଟରା ଚାଲିଥିଲା | ପ୍ରୀତି ରଞ୍ଜନ ଘଡ଼ାଇ ନିଜ ପତ୍ନୀ ତଥା ଅଭିନେତ୍ରୀ ଝିଲିକ ଭଟାଚାର୍ଯ୍ୟଙ୍କ ପାଇଁ ଟିକେଟ ଲବି କରୁଥିଲେ | ସେପଟେ ବର୍ତ୍ତମାନର ବିଧାୟକ ଥିବା ଅଶୋକ ବଳ ମଧ୍ୟ ପୁଣି ଟିକେଟ ପାଇବାକୁ ଆଶାୟୀ ଥିଲେ | ହେଲେ ଶେଷରେ କୋରେଇ ଟିକେଟ ପାଇଛନ୍ତି ବବିଙ୍କ ମା’ |

ତେବେ କୋରେଇ ଆସନ ଟି ହେଉଛି ବବିଙ୍କ ବାପା ସ୍ବର୍ଗତ ଅଶୋକ ଦାସଙ୍କ ପାରମ୍ପରିକ ଆସନ | ସେ ଏହି ଆସନରୁ ବାରମ୍ବାର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି | ଆଉ ଏବେ ଏହି ଆସନରୁ ତାଙ୍କ ପତ୍ନୀ ସନ୍ଧ୍ୟାରାଣୀ ଦାସ ଲଢ଼ିବାକୁ ଯାଉଛନ୍ତି | ଅନ୍ୟପଟେ କୋରେଇରୁ ଏଥର ବିଜେପି ପୂର୍ବତନ ବିଧାୟକ ତଥା ଅଭିନେତା ଆକାଶ ଦାସ ନାୟକଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ବନ୍ଦିତା ପରିଡାଙ୍କୁ ପ୍ରାର୍ଥୀ କରିଛି | ଏଭଳି ସ୍ଥିତିରେ ନବାଗତା ସନ୍ଧ୍ୟାରାଣୀ ପ୍ରତିଦ୍ବନ୍ଦୀଙ୍କୁ କିଭଳି ଟକ୍କର ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା |

Related Posts