ଭୁବନେଶ୍ବର, (ସତ୍ୟପାଠବ୍ୟୁରୋ): ନେପାଳ ଜଳ ପ୍ରଳୟରେ ଦମ୍ପତିଙ୍କ ସହ ଜଣେ ଯୁବତୀ ନିଖୋଜ ଥିବା ସୂଚନା ମିଳିଛି। ନେପାଳରେ ପ୍ରଳୟଙ୍କାରୀ ବନ୍ୟା ଓ ଭୂସ୍ଖଳନ ପରେ ଓଡ଼ିଆ ଦମ୍ପତି ନିଖୋଜ ହୋଇଥିବା ଖବର ଚିନ୍ତା ବଢ଼ାଇଛି । ବୁଲିବା ପାଇଁ ଅଷ୍ଟ୍ରେଲିଆରୁ କାଠମାଣ୍ଡୁ ଆସିଥିବା ଓଡ଼ିଆ ଦମ୍ପତି ସନ୍ଦୀପ ମହାପାତ୍ର ଓ ତାଙ୍କ ପତ୍ନୀ ସିଦ୍ଧାର୍ଥୀ କୁମାରୀ ସାହୁଙ୍କର ବନ୍ୟା ପରେ କୌଣସି ପତ୍ତା ମିଳୁନଥିବା ସୂଚନା ମିଳିଛି । ସେମାନେ ଖୋର୍ଦ୍ଧା ବାସିନ୍ଦା ହୋଇଥିବାବେଳେ ତାଙ୍କ ଭଉଣୀଙ୍କଠାରୁ ସମସ୍ତ ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରାଯାଇ ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ପ୍ରଦାନ କରାଯାଇଛି। ସେହିପରି ବାରିପଦାର ଯୁବତୀ କୁଲସୁମ ନିଗାର ମଧ୍ୟ ବୁଲିବାକୁ ଯାଇ ସେଠାରେ ନିଖୋଜ ଥିବା ଜଣାପଡ଼ିଛି। ନୋଡାଲ ଅଫିସର ପ୍ରିତୀଶ ପଣ୍ଡାଙ୍କ ସୂଚନା ଅନୁସାରେ, ସନ୍ଦୀପ ମହାପାତ୍ର ଓ ସିଦ୍ଧାର୍ଥୀ କୁମାରୀ ସାହୁ ନେପାଳ ବୁଲିବା ପାଇଁ ଆସିଥିଲେ । ହେଲେ ପ୍ରଳୟଙ୍କାରୀ ବନ୍ୟା ପରେ ଉଭୟଙ୍କ ସହ ଯୋଗାଯୋଗ ହୋଇପାରୁନାହିଁ । ବର୍ତ୍ତମାନ ନିଖୋଜ ଦମ୍ପତିଙ୍କ ସନ୍ଧାନ ପାଇଁ ଉଦ୍ୟମ ଜାରି ରହିଛି । ସେପଟେ ପୁରୀ ଜିଲ୍ଲାର ବାସିନ୍ଦା ରାକେଶ କୁମାର ପଣ୍ଡା, ଅନ୍ୟ ଦୁଇଜଣଙ୍କ ସହ ନେପାଳ ଯାଇଥିଲେ। ସେମାନେ ସୁରକ୍ଷିତ ଅଛନ୍ତି ଏବଂ ରକ୍ସୌଲ୍ ସୀମା ଚେକ୍ ପୋଷ୍ଟ ଅତିକ୍ରମ କରି ଭାରତ ଫେରୁଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ନେପାଳକୁ ଫୁଟବଲ ଖେଳିବାକୁ ଯାଇଥିବା ୬ ଓଡ଼ିଆ ଖେଳାଳି ସୁରକ୍ଷିତ ଥିବା କ୍ରୀଡ଼ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି । ଖେଳାଳିଙ୍କ ସହ ନୋଡାଲ ଅଫିସର କଥା ହୋଇଛନ୍ତି । ଫୁଟବଲ୍ ଖେଳାଳି ଦଳ, କୋଚ୍ ଶ୍ରୀ ହଲିମ୍ ଙ୍କ ସହ ନେପାଳର ପୋଖରାଠାରେ ଏକ ଫୁଟବଲ୍ ମ୍ୟାଚ୍ ଖେଳିବା ପାଇଁ ଯାଇଥିଲେ। କୋଚ୍‌ଙ୍କ ସୂଚନା ଅନୁଯାୟୀ, ସମସ୍ତେ ସୁରକ୍ଷିତ ଅଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଜଣେ ଉଚ୍ଚପଦସ୍ତ ଅଧିକାରୀଙ୍କୁ ସେମାନଙ୍କୁ ଫେରାଇ ଆଣିବାକୁ ଦାୟିତ୍ୱ ଦିଆଯାଇଛି । ସରକାର ନେପାଳ ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି । ନୂଆଦିଲ୍ଲୀଠାରେ ଓଡ଼ିଶା ନିବାସ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସ୍ଥାପନ କରାଯାଇଛି । ନୂଆଦିଲ୍ଲୀ ସ୍ଥିତ ଓଡିଶା ସରକାରଙ୍କ ମୁଖ୍ୟ ଆବାସିକ କମିଶନରଙ୍କ କାର୍ଯ୍ୟାଳୟ ବିଜ୍ଞପ୍ତି ଅନୁସାରେ ସହାୟତା ପାଇଁ ଓଡ଼ିଶା ନିବାସ, ନୂଆଦିଲ୍ଲୀ ପକ୍ଷରୁ ୨୪x୭ କଣ୍ଟ୍ରୋଲ ରୁମ୍ ନମ୍ବର ଜାରି କରାଯାଇଛି । ଏହି ନମ୍ବର ହେଲା ୦୧୧-୨୩୦୧୨୮୦୭ / ୭୪୨୮୧୩୫୦୪୪ / ୮୫୨୭୫୮୦୨୪୫ | ଏହାସହ ବୈଦେଶିକ ମନ୍ତ୍ରଣାଳୟ ହେଲ୍ପଲାଇନ୍ ନମ୍ବର ରହିଛି +୯୭୭ ୯୮୫୧୩୧୬୮୦୭ / +୯୭୭ ୯୭୦୯୧୦୭୫୦୦ ।