କୁବେର କନେଷ୍ଟବଳ: ଭିଜିଲାନ୍ସ ରେଡ୍ ବେଳେ ମିଳିଲା ୧ କୋଟି ୨୭ ଲକ୍ଷ ଟଙ୍କାର ସମ୍ପତ୍ତି

ଚାକିରୀ କନେଷ୍ଟବଳର କିନ୍ତୁ ସମ୍ପତି କୁବେରର | ଅମାପ ସମ୍ପତ୍ତିର ମାଲିକ ଏହି କୁବେର କନେଷ୍ଟବଳ | ଚାକିରି ଭିତରେ ଠୁଳ କରିଛନ୍ତି ଅମାପ ସମ୍ପତ୍ତି। ଉପରିସ୍ଥ ଅଧିକାରୀଙ୍କୁ ଦାମୀ ଉପହାର ଜରିଆରେ ପ୍ରଲୋଭିତ କରି ଏବଂ ପୁଲିସ ଚାକିରିକୁ ଢାଲ କରି ବିପୁଳ ସମ୍ପତ୍ତିର ମାଲିକ ହୋଇଛନ୍ତି | ଘର ଛାତ ଉପରେ ସୁଇମିଂ ପୁଲ ବନାଇଥିଲେ କରିତକର୍ମା କନେଷ୍ଟବଳ । ଆୟବହିର୍ଭୁକ୍ତ ସମ୍ପତ୍ତିି ଠାବ ପରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ବାରିପଦା ରିଜର୍ଭ ପୁଲିସ ଲାଇନରେ କାମ କରୁଥିବା କନେଷ୍ଟବଳ ନିହାର ରଞ୍ଜନ ଦଣ୍ଡପାଟଙ୍କର ୧ କୋଟି ୨୭ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତିି ଠାବ କରିଛି ପୁଲିସ । ସବୁଠୁ ବଡ଼ କଥା ହେଉଛି, ବାରିପଦା ଟାଉନ୍ରେ ତାଙ୍କର ତିନିମହଲା ବିଶିଷ୍ଟ ବିଳାସପୂର୍ଣ୍ଣ ଘର ରହିଛି ଆଉ ଘର ଛାତ ଉପରେ ରହିଛି ସୁଇମିଂ ପୁଲ୍ ।

ସୂଚନା ଅନୁସାରେ; ବାରିପଦା ସହରରେ ତାଙ୍କର ୩ ତାଲା ସୁରମ୍ୟ ଅଟ୍ଟାଳିକା, ଗ୍ୟାସ୍‌ ଏଜେନ୍ସି, କମ୍ପ୍ୟୁଟର ସୋରୁମ୍‌, ଟ୍ରାନ୍‌ସପୋର୍ଟ ବ୍ୟବସାୟ, ୩ଟି ଟ୍ରକ ସହିତ ମୋଟ ୧୯ଟି ଗାଡ଼ିକୁ ଠାବ କରିଛି ଭିଜିଲାନ୍‌ସ। ଏହାବାଦ୍‌ ବିଭିନ୍ନ ସ୍ଥାନରେ ତାଙ୍କର ସ୍ଥାବର, ଅସ୍ଥାବର ଓ ଭୂସମ୍ପତ୍ତି ରହିଥିବା ଭିଜିଲାନ୍‌ସ ଜାଣିବାକୁ ପାଇଛି। ଚଢ଼ାଉ ଜାରି ରହିଥିବାବେଳେ ପ୍ରାରମ୍ଭିକ ଆକଳନ ଅନୁସାରେ ତାଙ୍କର ୧କୋଟି ୨୭ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରାଯାଇଛି। ବାରିପଦା ଭଞ୍ଜପୁରସ୍ଥିତ ୩ ତାଲା ବିଶିଷ୍ଟ ସୁରମ୍ୟ ଅଟ୍ଟାଳିକାରେ ପଶିବା ସମୟରେ ତାଜୁବ ହୋଇ ଯାଇଥିଲା ଭିଜିଲାନ୍‌ସ ଟିମ୍‌। ଘର ପ୍ରବେଶ ଦ୍ବାରରେ ଲାଗିଥିଲା ଲକ୍ଷାଧିକ ଟଙ୍କାର ଫାଟକ। ନିହାରଙ୍କ ଅଭିଜାତ୍ୟଭରା ଜୀବନଶୈଳୀର ଝଲକ ଦେଖିବାକୁ ମିଳିଥିଲା ତାଙ୍କ ତୃତୀୟ ମହଲା ଛାତ ଉପରେ ଥିବା ସୁଇମିଂ ପୁଲ୍‌ରୁ। ଯାହାକୁ ଦେଖି ଭିଜିଲାନ୍ସ ଟିମ୍‌ ଚକିତ ହୋଇଯାଇଥିଲେ।

ଅନ୍ୟପକ୍ଷରେ, ନିହାରଙ୍କୁ ଧରିବା ଲାଗି ବାରିପଦାରୁ ଯାଉଥିବା ସମସ୍ତ ଟ୍ରେନ୍‌, ବସ୍‌ ଏବଂ ବିଭିନ୍ନ ସ୍ଥାନରେ ପୁଲିସ ଧରପଗଡ଼ ଚଳାଇଛି। ତେବେ ଚଢ଼ଉ ସଂପର୍କରେ ଆଗୁଆ ଖବର ପାଇ ନିହାର ଫେରାର ହୋଇ ଯାଇଥିବା ଏବଂ ନିଜ ବିଭାଗର କିଛି ପୁଲିସ କର୍ମଚାରୀ ତାଙ୍କୁ ଏଥିରେ ସହାୟତା କରିଥିବା ନେଇ ଚର୍ଚ୍ଚା ହେଉଛି। ଉଲ୍ଲେଖଯୋଗ୍ୟ ଯେ ମୟୂରଭଞ୍ଜ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଚାକିରି କରିଥିବା ନିହାର ଗଲା କିଛି ଦିନ ଧରି ଭିଜିଲାନ୍‌ସ ସ୍କାନର୍‌ରେ ଥିଲେ।

Related Posts