କୋଭିଡ ମହାମାରୀର ନାହିଁ ଅନ୍ତ: ଦଶନ୍ଧି ପର୍ଯ୍ୟନ୍ତ ହେବ ଅନୁଭୂତ: WHO ମୁଖ୍ୟ

ସାରା ବିଶ୍ୱ ବାସୀଙ୍କୁ କରୋନା ମହାମାରୀ କବଳିତ କରି ରଖିଥିବା ବେଳେ, ଯାହାର ପ୍ରଭାବରେ କଲବଲ ଜନଜୀବନ | ଗୋଟିଏ ପରେ ଗୋଟିଏ ନୂଆ ପ୍ରଜାତି ଏବେ ସାରା ବିଶ୍ବକୁ ଏକାଧିକ ଲହରରେ ପ୍ରଭାବିତ କରି ଚାଲିଛି | କେବେ ଏହି ମହାମାରୀର କବଳରୁ ମୁକ୍ତି ମିଳିବ କେବେ ଏହାର ଅନ୍ତ ଘଟିବ ସେନେଇ ସମଗ୍ର ବିଶ୍ବବାସୀ ପ୍ରତୀକ୍ଷା କରିଥିବା ବେଳେ ସମୟେ ସମୟେ ସ୍ବାସ୍ଥ୍ୟ ବିଶେଷଜ୍ଞ ଓ ଅନୁସନ୍ଧାନକାରୀ ସଂସ୍ଥାମାନେ ବିଭିନ୍ନ ପୂର୍ବାକଳନ କରିସାରିଛନ୍ତି । ଗବେଷଣା ଯେତିକି ଆଗଉଛି, ମହାମାରୀର ପ୍ରଭାବ ନେଇ ନୂଆ ନୂଆ ତଥ୍ୟ ମଧ୍ୟ ମିଳିବାରେ ଲାଗିଛି । ତେବେ ଏହାରି ମଧ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଏକ ନୂଆ ତଥ୍ୟ ଆଣିଛନ୍ତି ।

WHOର ମୁଖ୍ୟ ଡ.ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସସ୍ କହିଛନ୍ତି ଯେ, ନିକଟ ଭବିଷ୍ୟତର ମହାମାରୀ ମଣିଷ ସମାଜରୁ ସମ୍ପୂର୍ଣ୍ଣ ଭାବେ ଦୂରେଇଯିବା ସମ୍ଭବ ନୁହେଁ । ଆଗାମୀ ଦଶନ୍ଧି ଧରି ଏହାର ପ୍ରଭାବ ଅନୁଭୂତ ହେବ । ଏହା ବିଶେଷ ଭାବେ କିଛି ନିର୍ଦ୍ଦିଷ୍ଟ ସମ୍ବେଦନଶୀଳ ବର୍ଗର ଲୋକଙ୍କ ପାଇଁ ଅଧିକ ଆଶଙ୍କିତ କରିବ । ତେବେ ଏହା ପ୍ରଥମ ଲହର ପରି ଘାତକ ହେବ ନାହିଁ ।କୋଭିଡ ଭ୍ୟାକ୍ସିନେସନ ବର୍ତ୍ତମାନ ମହାମାରୀ ବିରୋଧୀ ଲଢେଇର ମୁଖ୍ୟ ଅସ୍ତ୍ର ପାଲଟିଥିବା ବେଳେ ଏବେ ମଧ୍ୟ କମନୱେଲଥ ଦେଶର ଜନସଂଖ୍ୟାର ମାତ୍ର 42% ପ୍ରତିଶତ ଟୀକାକରଣ ପରିସରକୁ ଆସିପାରିଛନ୍ତି । ଡକ୍ଟର ଟେଡ୍ରୋସ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ଆଫ୍ରିକୀୟ ଦେଶଗୁଡିକ ହାରାହାରି ଟୀକାକରଣ ହାର ମାତ୍ର 23%, ଯାହା ସନ୍ତୋଷଜନକ ନୁହେଁ ।

କେବଳ ମହାମାରୀକୁ ନିୟନ୍ତ୍ରଣରେ ଏବଂ ଜୀବନ ରକ୍ଷା କରିବା ନୁହେଁ, ବରଂ ଜୀବିକା ଓ ଜୀବନର ସ୍ବାଭାବିକ ଧାରାକୁ ବଜାୟ ରଖିବାକୁ ପଡିବ ବୋଲି ମଧ୍ୟ ସେ ମତ ଦେଇଛନ୍ତି ।ଏହାପୂର୍ବରୁ, WHO ଚେତାବନୀ ଦେଇଥଲା ଯେ ଭୂତାଣୁର ପ୍ରଜାତି ବିକଶିତ ହେବା ସହିତ ଟିକା ମଧ୍ୟ ବିକଶିତ ହେବାର ଆବଶ୍ୟକତା ପଡିପାରେ । ବର୍ତ୍ତମାନ ମଧ୍ୟ ଅନୁରୂପ ସ୍ଥିତି ଦେଖିବାକୁ ମିଳିଛି । କିନ୍ତୁ ଟୀକାକରଣ ଓ କୋଭିଡ ନିରୋଧୀ ପ୍ରୋଟୋକଲ ଆଗାମୀ ମହାମାରୀର ପ୍ରକୋପକୁ ହ୍ରାସ କରିବ ବୋଲି ମଧ୍ୟ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପୂର୍ବରୁ ଆଶ୍ବସ୍ତି ପ୍ରଦାନ କରିସାରିଛି |

Related Posts