ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: କଂଗ୍ରେସ ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ

ନିଜର ପୂର୍ବ ସ୍ଥିତିକୁ ଫେରିବା ଲକ୍ଷ୍ୟରେ କଂଗ୍ରେସ | ପୁଣି ଥରେ ନିଜ ଆସନ ଅକ୍ତିଆର କରିବା ପାଇଁ ଅଂଟା ଭିଡିଛି କଂଗ୍ରେସ | ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଦେଇଛି | ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି ପ୍ରଦେଶ କଂଗ୍ରେସ(OPCC) । ପିସିସିର ପରାମର୍ଶ କ୍ରମେ ସୋମବାର କଂଗ୍ରେସ ୨୦ ଜଣିଆ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କରିଛି । ସେଥିରେ ଓଡ଼ିଶା ପ୍ରଭାରୀ ତଥା ସାଂସଦ ଏ ଚେଲ୍ଲା କୁମାରଙ୍କ ନାମ ରହିଛି ।

ଏହାବ୍ୟତୀତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଏଆଇସିସି ସମ୍ପାଦକ ରୁଦ୍ର ରାଜୁ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ଚିରଞ୍ଜୀବ ବିଶ୍ଵାଳ, ଶରତ ପଟ୍ଟନାୟକ, ଜୟଦେବ ଜେନା, ପଞ୍ଚାନନ କାନୁନଗୋ, ସପ୍ତଗିରି ଉଲ୍ଲାକା, ସୁରେଶ କୁମାର ରାଉତରାୟ, ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ଇଂ. ମହମ୍ମଦ ମୋକିମ, କିଶୋର ଚନ୍ଦ୍ର ପଟେଲ, ବିଜୟଲକ୍ଷ୍ମୀ ସାହୁ, ସତ୍ୟପ୍ରକାଶ ନାୟକ, ସୁରେଶ ମହାପାତ୍ର ପ୍ରମୁଖ ଷ୍ଟାର ପ୍ରଚାରକ ତାଲିକାରେ ରହିଛନ୍ତି ।ଏପରିକି ଛତିଶଗଡ଼ ପ୍ରଦେଶ କଂଗ୍ରେସ ସଭାପତି ମୋହନ ମରକମଙ୍କ ସମେତ ଛତିଶଗଡ଼ର କ୍ୟାବିନେଟ ମନ୍ତ୍ରୀ ଅମରଜିତ ଭଗତ ଓ କାୱାସି ଲକ୍ଷ୍ମୀଙ୍କ ନାମ ରହିଛି ଲିଷ୍ଟରେ । ଏମାନେ ସମସ୍ତେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବହୁଳ ଭାବେ ପ୍ରଚାର କରିବେ ବୋଲି ପିସିସି ଉପସଭାପତି ତଥା ନିର୍ବାଚନ ପରିଚାଳନା କମିଟିର ଆବାହକ ଯଜ୍ଞେଶ୍ଵର ବାବୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି |

Related Posts