ବ୍ରହ୍ମପୁର,(ସତ୍ୟପାଠବ୍ୟୁରୋ): ଗଞ୍ଜାମ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଗୋଳାବନ୍ଧ ବିସ୍ଥାପିତଙ୍କ ପାଇଁ ୪ ଦଶନ୍ଧିର ଅପେକ୍ଷାର ଅନ୍ତ ଘଟିଛି। ଗୋଳାବନ୍ଧଠାରେ ବିସ୍ଥାପିତ ପରିବାରବର୍ଗଙ୍କୁ ପୁନର୍ବାସ ଓ ଥଇଥାନ ସହାୟତା ସହ ଜମି ପଟ୍ଟା ବଣ୍ଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗୋପାଳପୁର ଆଖାପାଖ ଅଞ୍ଚଳରେ ଅନେକ ପ୍ରକଳ୍ପ ଆସୁଛି, ଗୋପାଳପୁର ବନ୍ଦର ସହ ବାହୁଡ଼ା ପ୍ରକଳ୍ପ ମଧ୍ୟ ଭାରତ ବର୍ଷରେ ସବୁଠାରୁ ବଡ଼ ବନ୍ଦର ମଧ୍ୟରେ ହେବାକୁ ଯାଉଛି। ୨୨ ହଜାରେ କୋଟି ଟଙ୍କାରେ ୧୫୦ ମିଲିୟନ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ବୃହତ୍ତ ବନ୍ଦର ନିର୍ମାଣ କରାଯିବାକୁ ଯୋଜନା ହୋଇଛି। ୧୪ ପ୍ରକଳ୍ପ ପାଇଁ ୪୦ ହଜାର କୋଟି ଟଙ୍କାରୁ ଅଧିକ ନିବେଶ ହେଉଛି। ୧୩୭୧ ପରିବାର ପାଇଁ ୭୫.୬୦ କୋଟିର ପ୍ୟାକେଜ୍ ଘୋଷଣା କରାଯାଇଛି। ଏହି ଅର୍ଥରେ ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଛି। ଛେଳିଗଡ଼ ଜଳସେଚନ ପ୍ରକଳ୍ପ ବିସ୍ଥାପିତ ୧୧୨ ପରିବାରକୁ ଘରବାରି ଓ ଚାଷଜମି ପଟ୍ଟା ପ୍ରଦାନ କରାଯାଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି, ଆଗାମୀ ୨ ବର୍ଷରେ ରାଜ୍ୟରେ ୫ ଲକ୍ଷ ନିଯୁକ୍ତି ମିଳିବ। ଗୋଳାବନ୍ଧର ଅଧିବାସୀଙ୍କ ସଂଘର୍ଷ ଓ ତ୍ୟାଗ ଅସୀମ, ଆମ ସରକାର ଆସିବାପରେ ହେଲା ସ୍ଥାୟୀ ସମାଧାନ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଦୀର୍ଘ ବର୍ଷର ଅପେକ୍ଷା ଓ ସଂଘର୍ଷ ପରେ ଗୋଳାବନ୍ଧର ନୋଳିଆ ବିସ୍ଥାପିତ ପରିବାରଙ୍କୁ ମିଳିଛି ବଡ଼ ଆଶ୍ୱାସନା। ଗଞ୍ଜାମ ଜିଲ୍ଲା ଗୋଳାବନ୍ଧଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୋଳାବନ୍ଧର ୧,୩୭୧ଟି ବିସ୍ଥାପିତ ପରିବାର ପାଇଁ ୭୫ କୋଟି ୬୦ ଲକ୍ଷ ୩୦ ହଜାର ଟଙ୍କାର ଏକ ସ୍ୱତନ୍ତ୍ର ପୁନର୍ବାସ ଓ ଥଇଥାନ ପ୍ୟାକେଜ୍ ଘୋଷଣା କରିବା ସହ ଏହାର ଶୁଭାରମ୍ଭ କରିଛନ୍ତି। ଏହାସହିତ ଛେଳିଗଡ଼ ମଧ୍ୟମ ଜଳସେଚନ ପ୍ରକଳ୍ପର ବିସ୍ଥାପିତ ୧୧୨ଟି ପରିବାରଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୯୬ଟି ପରିବାରକୁ ଘରବାରି ଓ ଚାଷଜମିର ପଟ୍ଟା ବଣ୍ଟନ କରାଯାଇଛି।
