ରାୟଗଡ଼ା, (ସତ୍ୟପାଠବ୍ୟୁରୋ) ପିଲାଟି ଦିନରୁ ପାଠରେ ଧୁରନ୍ଧର। ମନରେ ଡାକ୍ତର ହେବା ନେଇ କେତେ ଆଶା କରିଥିଲେ। ଦିନ ରାତି ପରିଶ୍ରମ କରି ନିଟ ପରୀକ୍ଷାରେ କୃତକାର୍ଯ୍ୟ ବି ହେଲେ । ଏବେ ଡାକ୍ତରୀ ପଢ଼ିବା ପାଇଁ ଅର୍ଥ ସାଜିଛି ବାଧକ। ରାୟଗଡାର ବିସମକଟକ ବ୍ଲକର କୋଣ୍ଡା ଜନଜାତିର ପ୍ରଥମ ଛାତ୍ରୀ କବିତା, ଯିଏ ଜାତୀୟ ଯୋଗ୍ୟତା-ତଥା-ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହାସଲ କରିଛନ୍ତି । ୧୯ ବର୍ଷର ଝିଅ କବିତା ବିଷମକଟକ ବ୍ଲକର ଭାଲେରୀସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରୁ ସେ ୯୦.୮% ମାର୍କ ରଖି ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିଲେ । ବିଜ୍ଞାନ ପ୍ରତି ତାଙ୍କର ରୁଚି ଓ ଭଲ ପ୍ରଦର୍ଶନକୁ ଦେଖି ଭୁବନେଶ୍ୱରସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଯୁକ୍ତ ଦୁଇ ଅଧ୍ୟୟନ ସହ ତାଙ୍କୁ ମାଗଣା ନିଟ୍ କୋଚିଂ ପ୍ରଦାନ କରାଯାଇଥିଲା । ବାପା ତାଙ୍କର ଦିନ ମଜୁରିଆ, ହେଲେ ନିଜର ଅକ୍ଳାନ୍ତ ପରିଶ୍ରମ ବଳରେ ସେ ଆଜି ସାଉଁଟିଛନ୍ତି ରାଜ୍ୟବ୍ୟାପି ଶୁଭେଛ୍ଛା । ବିଷମକଟକର ସାହାଡା ଗାଁର ବାସିନ୍ଦା ଲାବା ଏବଂ କମଳା ହିକାକାଙ୍କ ଝିଅ କବିତା । ଚଳିତ ବର୍ଷର ନିଟ୍ ପରୀକ୍ଷାରେ ଅନୁସୁଚିତ ଜନଜାତି ବର୍ଗରେ ୧୩୭ ରାଙ୍କ ଏବଂ ସମଗ୍ର ରାଜ୍ୟ ସ୍ତରରେ ୪,୦୨୭ ତମ ର‍୍ୟାଙ୍କ ହାସଲ କରିଛନ୍ତି। ଏହି ସଫଳତା ପରେ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ତାଙ୍କୁ ଏମ୍‌ବିବିଏସ୍ ପାଠ୍ୟକ୍ରମ ପାଇଁ ସିଟ୍ ଆବଣ୍ଟିତ ହୋଇଛି । ଆସନ୍ତା ଅଗଷ୍ଟ ୨୮ ରୁ ସେପ୍ଟେମ୍ବର ୬ ମଧ୍ୟରେ ତାଙ୍କର ନାମଲେଖା ପ୍ରକ୍ରିୟା ହେବାକୁ ଥିବାବେଳେ ମେଡିକାଲ ପଢ଼ାର ଖର୍ଚ୍ଚ ଏବେ ତାଙ୍କ ଡାକ୍ତର ହେବା ସ୍ୱପ୍ନରେ ବଡ଼ ପ୍ରତିବନ୍ଧକ ସାଜିଛି। ନିଜର ଲକ୍ଷ୍ୟ ପୂରଣ କରିବାକୁ ସେ କଠିନ ଅଭ୍ୟାସ ଜାରି ରଖିଥିଲେ। ବିଦ୍ୟାଳୟ କୋଚିଂ ବ୍ୟତୀତ ସେ ପ୍ରତିଦିନ ୭ ରୁ ୮ ଘଣ୍ଟା ଅଧ୍ୟୟନ କରୁଥିଲେ ଏବଂ ସୋସିଆଲ ମିଡିଆ ଓ ୟୁଟ୍ୟୁବ୍‌ରେ ଉପଲବ୍ଧ ମାଗଣା ଶିକ୍ଷାର ମଧ୍ୟ ସାହାଯ୍ୟ ନେଉଥିଲେ । ୨୦୨୪ ରେ ୭୭% ମାର୍କ ସହ ଯୁକ୍ତ ଦୁଇ ବିଜ୍ଞାନ ପାସ୍ କରିବା ପରେ ସେ ଗାଁକୁ ଫେରି ଅନ୍‌ଲାଇନ୍ ମାଧ୍ୟମରେ ନିଜ ପ୍ରସ୍ତୁତି ଜାରି ରଖିଥିଲେ। ତୃତୀୟ ପ୍ରୟାସରେ ତାଙ୍କର ଏହି ନିରନ୍ତର ସାଧନା ଫଳପ୍ରଦ ହୋଇଛି। ଝିଅର ପାଠପଢ଼ା ପାଇଁ ପରିବାର କେବେ ବି ଆର୍ଥିକ ଅଭାବକୁ ଆଗକୁ ଆସିବାକୁ ଦେଇନଥିଲେ । ବାପା ଲବ ହିକାକା ଜଣେ ଦିନମଜୁରିଆ ଭାବେ ଦୈନିକ ମାତ୍ର ୩୦୦ ଟଙ୍କା ରୋଜଗାର କରି ୪ ଜଣିଆ ପରିବାର ଚଳାନ୍ତି । ସେ କଷ୍ଟେମଷ୍ଟେ ଝିଅର ପାଠପଢ଼ା ପାଇଁ ଏକ ସ୍ମାର୍ଟଫୋନ୍ ଯୋଗାଡ଼ କରିଥିଲେ ଏବଂ ମାସକୁ ଥରେ ଭୁବନେଶ୍ୱର ଯାଇ ଝିଅକୁ ଭେଟୁଥିଲେ । କିନ୍ତୁ ବର୍ତ୍ତମାନ ମେଡିକାଲ ପାଠପଢ଼ା ପାଇଁ ଆବଶ୍ୟକ ମୋଟ ଖର୍ଚ୍ଚ ଏହି ଗରିବ ପରିବାରର ଚିନ୍ତା ବଢ଼ାଇଦେଇଛି । ତୁରନ୍ତ ନାମଲେଖା ପାଇଁ ପ୍ରାୟ ୩୭,୦୦୦ ଟଙ୍କା ଆବଶ୍ୟକ ଥିବାବେଳେ ୫ ବର୍ଷର ଏମ୍‌ବିବିଏସ୍ ପାଠ୍ୟକ୍ରମ ପାଇଁ ପ୍ରାୟ ୭ ଲକ୍ଷ ଟଙ୍କା ଖର୍ଚ୍ଚ ହେବାର ଆକଳନ କରାଯାଇଛି। ଯେତେବି ଅଭାବ ଅନଟନ ହେଲେ ମଧ୍ୟ ଏହା କେବେ ବି କବିତାଙ୍କୁ ତାଙ୍କ ଲକ୍ଷପଥରୁ ନିବୃତ କରି ପାରି ନାହିଁ । କବିତାଙ୍କ ବାପା ଲବ ହିକାକା କହିଛନ୍ତି, “ଟଙ୍କା ଅଭାବରୁ ତା’ର ପାଠପଢ଼ା ବନ୍ଦ ହେଉ ବୋଲି ମୁଁ କେବେ ବି ଚାହୁଁନାହିଁ ।” କିନ୍ତୁ ମେଡିକାଲ ପଢିବା ପାଇଁ ଦରକାର ଥିବା ପ୍ରାୟ ୭ ଲକ୍ଷ ଟଙ୍କା ଜୁଟାଇବା ଏବେ ତାଙ୍କ ପରିବାର ପାଇଁ ସବୁଠାରୁ ବଡ଼ ସମସ୍ୟା ।