ଭୁବନେଶ୍ବର, (ସତ୍ୟପାଠ ବ୍ୟୁରୋ): ପଞ୍ଚାୟତସ୍ତରରେ ବିକାଶକୁ ତ୍ବରାନ୍ବିତ କରିବା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି। ଗ୍ରାମାଞ୍ଚଳର ଯୁବପିଢ଼ିଙ୍କ ସୁବିଧା ପାଇଁ ଅନେକ ବ୍ୟବସ୍ଥା ହାତକୁ ନିଆଯାଉଛି। ଏଣିକି ଗାଁ ଗାଁରେ ସହରୀ ସୁବିଧା ଯୋଗାଇ ଦିଆଯିବ। ପଞ୍ଚାୟତକୁ ଅଧିକ ସୁବିଧାସମ୍ପନ୍ନ ଓ ଆକର୍ଷଣୀୟ କରିବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିଛି ପଞ୍ଚାୟତିରାଜ ବିଭାଗ । ‘ଗ୍ରାମ ସମ୍ପଦ କାର୍ଯ୍ୟକ୍ରମ’ ଜରିଆରେ ପଞ୍ଚାୟତସ୍ତରରେ ଆଦର୍ଶ ଖେଳ ପଡ଼ିଆ, କଲ୍ୟାଣ ମଣ୍ଡପ, ଗ୍ରାମୀଣ ହାଟ, ପୋଖରୀ, ପାର୍କ, ପାଠାଗାର ଓ ଶ୍ମଶାନ ଭଳି ବିଭିନ୍ନ ଭିତ୍ତିଭୂମି ବିକଶିତ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ରବି ନାରାୟଣ ନାୟକ। ଏନେଇ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି । ପଞ୍ଚାୟତରେ କେଉଁ ପ୍ରକଳ୍ପର ଆବଶ୍ୟକତା ରହିଛି, ତାହା ଗ୍ରାମସଭା ମାଧ୍ୟମରେ ନିର୍ଦ୍ଧାରଣ କରାଯିବ। ଲୋକଙ୍କ ଆବଶ୍ୟକତା ଓ ପ୍ରସ୍ତାବ ଆଧାରରେ ବିଭିନ୍ନ ବିକାଶମୂଳକ କାମ ପଞ୍ଚାୟତିରାଜ ବିଭାଗ ହାତକୁ ନେବ । ଏହା ମାଧ୍ୟମରେ ଗାଁରେ ମନୋରଞ୍ଜନ, କ୍ରୀଡ଼ା, ସାମାଜିକ କାର୍ଯ୍ୟ ଓ ସାର୍ବଜନୀନ ସୁବିଧାକୁ ଆହୁରି ସୁଦୃଢ଼ କରାଯିବ। ପଞ୍ଚାୟତସ୍ତରରେ ଆଦର୍ଶ ଖେଳ ପଡ଼ିଆ ନିର୍ମାଣ ପାଇଁ ସରକାର ପର୍ଯ୍ୟନ୍ତ ଖର୍ଚ୍ଚ କରିବେ। ଖେଳ ପଡ଼ିଆ ସହ ଯୁବକମାନଙ୍କ ପାଇଁ ଜିମ୍‌ର ବ୍ୟବସ୍ଥା ମଧ୍ୟ ରହିବ। ଏହା ଗ୍ରାମାଞ୍ଚଳର ଯୁବପିଢ଼ି ପାଇଁ ଏକ ବଡ଼ ସୁବିଧା ହେବ । ଆଦର୍ଶ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ୪୯ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ପ୍ରାୟ ୭୦.୩୨ ଫୁଟ୍‌ ଅଞ୍ଚଳରେ ଏହା ନିର୍ମାଣ ହେବ । ଏଥିରେ ଦୁଇଟି ଗ୍ରୀନ୍‌ ରୁମ୍‌ ସହ ପେଣ୍ଡାଲର ବ୍ୟବସ୍ଥା ରହିବ । ନାଚ, ଗୀତ, ଡ୍ରାମା ସହ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଏଠାରେ ଆୟୋଜନ କରାଯାଇପାରିବ । ଭୋଜିଭାତ ପାଇଁ ମଧ୍ୟ ସୁବିଧା ରହିବ ଏବଂ ପଞ୍ଚାୟତ ପକ୍ଷରୁ ପାଣି ଯୋଗାଣ କରାଯିବ । ଆଦର୍ଶ ପୋଖରୀ ନିର୍ମାଣ ଓ ବିକାଶ ପାଇଁ ୩୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ପୋଖରୀ ଚାରିପଟେ ପଥର ବନ୍ଧେଇ ସହ ଫେଭର ବ୍ଲକ୍‌ ଲଗାଯିବ । ଏହା ସହ ଜିମ୍‌ ସାମଗ୍ରୀର ବ୍ୟବସ୍ଥା ମଧ୍ୟ ରହିବ । ଗାଁର ସ୍ମଶାନର ଉନ୍ନତିକରଣ ପାଇଁ ସରକାର ୨୨ ଲକ୍ଷ ଟଙ୍କା ଦେବେ । ସ୍ମଶାନର ଚାରିପଟେ ପାଚେରୀ ନିର୍ମାଣ କରାଯିବ ।
ଆଦର୍ଶ ଗ୍ରାମୀଣ ପାର୍କ ନିର୍ମାଣ ପାଇଁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ପାର୍କରେ ଜିମ୍‌ ସହ ଲୋକଙ୍କ ବସିବା ପାଇଁ ସ୍ଥାନ ରହିବ । ଗ୍ରାମୀଣ ହାଟକୁ ମଧ୍ୟ ଆଦର୍ଶ ରୂପ ଦିଆଯିବ । ହାଟରେ ପାନୀୟ ଜଳର ବ୍ୟବସ୍ଥା ସହ ପ୍ରବେଶ ପାଇଁ ସୁନ୍ଦର ଗେଟ୍‌ ଓ ଆବଶ୍ୟକ ଭିତ୍ତିଭୂମି ବିକଶିତ କରାଯିବ । ପରିବେଶ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ବୃକ୍ଷରୋପଣ କାର୍ଯ୍ୟକ୍ରମ ଅଧୀନରେ ପ୍ରତି ଗ୍ରାମ ପଞ୍ଚାୟତରେ ୭୦୦ଟି ଗଛ ଲଗାଯିବ । ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ଓ ପାଠକଙ୍କ ପାଇଁ ଆଦର୍ଶ ପାଠାଗାର ନିର୍ମାଣ କରାଯିବ। ଏଥିପାଇଁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ଏହାବ୍ୟତୀତ ପ୍ରତିବର୍ଷ ପ୍ରତି ଗାଁରେ ଗୋଟିଏ କଲ୍ୟାଣ ମଣ୍ଡପ ନିର୍ମାଣ କରିବା ନେଇ ମଧ୍ୟ ଯୋଜନା ରହିଛି । ଗ୍ରାମସଭାର ପ୍ରସ୍ତାବ ଆଧାରରେ ଏହି ସବୁ ପ୍ରକଳ୍ପକୁ ଆଗକୁ ନିଆଯିବ । ମୋଟାମୋଟି ଭାବେ, ଗାଁରେ ସହରୀ ସୁବିଧା ଯୋଗାଇ ଗ୍ରାମାଞ୍ଚଳର ଭିତ୍ତିଭୂମିକୁ ନୂଆ ରୂପ ଦେବା ଉପରେ ଫୋକସ୍‌ କରିଛି ପଞ୍ଚାୟତିରାଜ ବିଭାଗ ।