ହିଜାବ ବିବାଦ ଏବେ ଗୋଟିଏ ପରେ ଗୋଟିଏ ରାଜ୍ୟକୁ ବ୍ୟାପୁଥିବା ବେଳେ କର୍ଣ୍ଣାଟକରୁ ଆରମ୍ଭ ହୋଇଥିବା ଏହି ବିବାଦ ଏବେ ଗୁଜୁରାଟରେ ପହଞ୍ଚିଛି । ଗୁଜୁରାଟର ସୁରଟ ଅଞ୍ଚଳର ଏକ ସ୍କୁଲ୍‌ରେ ମୁସ୍‌ଲିମ୍‌ ଛାତ୍ରୀ ହିଜାବ ପିନ୍ଧି ଆସିବାକୁ ନେଇ ହିନ୍ଦୁ ସଂଗଠନ ବିରୋଧ କରଯାଇଛି । ଏପରିକି ସ୍କୁଲ୍ ପରିସରରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା । ଏନେଇ ପୋଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି କୁ ନିୟନ୍ତ୍ରଣରେ ଆଣିବା ନେଇ ସଂଗଠନର ୧୫ ଜଣ କାର୍ଯ୍ୟକର୍ତ୍ତାଙ୍କୁ ହେପାଜତକୁ ନେଇଛି । ବିବାଦ ଯେପରି ବୃଦ୍ଧି ନପାଏ ସେଥିପାଇଁ ଆଖପାଖ ଅଞ୍ଚଳରେ ସୁରକ୍ଷା ବଢ଼ାଇ ଦିଆଯାଇଛି ।

ସୂଚନାଯୋଗ୍ୟ, ସୁରଟର ବରାଛାରେ ଥିବା ପିପି ସୱାଣି ସ୍କୁଲରେ ଏପରି ଘଟଣା ଘଟିଛି । ମଙ୍ଗଳବାର ୪ରୁ ୫ ମସ୍‌ଲିମ୍‌ ଛାତ୍ରୀ ହିଜାବ ପିନ୍ଧି ପରୀକ୍ଷା ଦେବା ପାଇଁ ପହଞ୍ଚିଥିଲେ । ଏହାର ଭିଡିଓ ଉତ୍ତୋଳନ କରି କିଛି ଛାତ୍ର ବିଶ୍ୱ ହିନ୍ଦୁ ପରିଷଦ ସଂଗଠନକୁ ପଠାଇ ଦେଇଥିଲେ । କିଛି ସମୟ ପରେ ସଂଗଠନର କର୍ମକର୍ତ୍ତା ସ୍କୁଲ ପରିସରେ ପହଞ୍ଚି ହଙ୍ଗାମା ଆରମ୍ଭ କରିଦେଇଥିଲେ । କର୍ମକର୍ତ୍ତା ସ୍କୁଲର ପ୍ରିନ୍ସପାଲ୍‌ଙ୍କ ସହିତ ଏନେଇ ପାଟିତୁଣ୍ଡ କରିଥିଲେ । ଯାହା ପରେ ବିବାଦର ଆରମ୍ଭ ହୋଇଯାଇଥିଲା । ପୋଲିସ୍‌ ପହଞ୍ଚି ସଂଗଠନର ୧୫ ଜଣ ଲୋକଙ୍କୁ ଉଠାଇ ନେଇଥିଲା ।

ସୂଚନା ଥାଉକି, ଗତ ମାସ ଅର୍ଥାତ ଜାନୁଆରୀ ମାସରେ କର୍ଣ୍ଣାଟକରେ ହିଜାବକୁ ନେଇ ବିବାଦ ଆରମ୍ଭ ହୋଇଥିଲା ।