ମାଲକାନଗିରି, (ସତ୍ୟପାଠବ୍ୟୁରୋ ): ଗରିବ, ନିରାଶ୍ରୟ, ପଛୁଆ ଲୋକଙ୍କ ପାଇଁ ସରକାର ମାଳ ମାଳ ଯୋଜନା କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାଠୁ ଆରମ୍ଭ କରି ଅନ୍ତୋଦ୍ବୟର ସୁବିଧା ନେଉଛନ୍ତି ହିତାଧିକାରୀ। ହେଲେ ପ୍ରଶାସନିକ ଅବହେଳା ଯୋଗୁଁ ଅନେକ ସ୍ଥାନରେ ଲୁଚି ରହି ଯାଉଛନ୍ତି ପ୍ରକୃତ ହିତାଧିକାରୀ। ଏଭଳି ଜଣେ ମହିଳା ମାଲକାନଗିରି ମ୍ୟୁନିସିପାଲଟି ୧୬ନମ୍ୱର ୱାର୍ଡରେ ରହୁଥିବା ମୋତି ମୁଦୁଲି। ସେ ସରକାରଙ୍କ ଜନ କଲ୍ୟାଣ ଯୋଜନାରୁ ବାଦ ପଡି ଦୟନୀୟ ସ୍ଥିତିରେ ରହୁଛନ୍ତି । ସେ ଜଣେ ଗରିବ ବିଧବା ମହିଳା। ତାଙ୍କର ବୟସ ୬୦ରୁ ଅଧିକ ହେବ। ସେ ଭୂମିହୀନ ହୋଇଥିବାବେଳେ ପଟ୍ଟା ଖଣ୍ଡିଏ ନ ମିଳିବାରୁ ଘର ଟିଏ ବି କରି ପାରୁ ନାହାନ୍ତି। ଏପରିକି ସେ ଶାରୀରିକ ଅକ୍ଷମ ଅଟନ୍ତି। ତାଙ୍କର ଆଧାର କାର୍ଡ ଥିବା ସତ୍ତ୍ବେ ସେ ଭତ୍ତା କି ରାସନ ସାମଗ୍ରୀ ବି ପାଇ ପାରୁ ନାହାନ୍ତି। ସେ ଏକୁଟିଆ ରହୁଥିବାରୁ ଭତ୍ତା ଓ ଜମି ପଟ୍ଟା ପାଇଁ ଆବେଦନ କରି ପାରୁ ନାହାନ୍ତି। ତେଣୁ ସେ ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ଅଛନ୍ତି। ସରକାର ଗରିବ ଓ ଅସହାୟଙ୍କ କଲ୍ୟାଣ ପାଇଁ ଅନେକ ଯୋଜନା କରୁଛନ୍ତି। କିନ୍ତୁ ଯେଉଁ ପରିବାର ପାଖରେ ନାହିଁ ନିଜସ୍ୱ ଜମି, ସ୍ଥାୟୀ ରୋଜଗାର କି ପରିଶ୍ରମ କରି ଜୀବନ ଜୀବିକା ଚଳାଇବାର ସାମର୍ଥ୍ୟ ନାହିଁ, ଏଭଳି ଅସହାୟ ପରିବାର ସରକାରୀ ଜନକଲ୍ୟାଣ ଯୋଜନାରୁ ବାଦ ପଡ଼ିବା ଏକ ବିଡ଼ମ୍ବନାର ବିଷୟ। ସରକାର ତାକୁ ଭୂମିହୀନ ହିସାବରେ ପଟ୍ଟା ଖଣ୍ଡିଏ ଦେଲେ, ସେ ଘର ଖଣ୍ଡେ କରି ବାକି ଜୀବନ କାଟି ପାରିବେ। ବୟସର ଭାରରେ ନିଜେ କାମ କରିପାରୁନଥିବା ଜଣେ ବୃଦ୍ଧା, ଭୂମିହୀନ ପରିବାର ଏବଂ ଖାଇବାକୁ ମଧ୍ୟ ସଂଘର୍ଷ କରୁଥିବା ଲୋକଙ୍କ ପାଇଁ ସରକାରୀ ଯୋଜନା ହିଁ ଏକମାତ୍ର ଆଶା। ଗରିବଙ୍କ ପାଇଁ ତିଆରି ଯୋଜନାର ଲାଭ ଯଦି ଗରିବଙ୍କ ପାଖରେ ନ ପହଞ୍ଚେ, ତେବେ ଏସବୁ ଯୋଜନା କାହା ପାଇଁ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ତେବେ ପ୍ରଶାସନିକ ପ୍ରକ୍ରିୟାରେ କୌଣସି ଅସୁବିଧା ଥିଲେ, ତୁରନ୍ତ ଏହାର ସମାଧାନ କରାଯିବାକୁ ଦାବି ହେଉଛି। ଏ ନେଇ ମାଲକାନଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ତପନ କୁମାର ଦାସ କହିଛନ୍ତି, ଏ ସମ୍ପର୍କରେ ମୁଁ ଜାଣିନାହିଁ, ତଦନ୍ତ ପରେ ହିତାଧିକାରୀଙ୍କୁ ଆବଶ୍ୟକ ସରକାରୀ ସୁବିଧା ଯୋଗାଇ ଦିଆଯିବ।