ବୌଦ୍ଧ, (ସତ୍ୟପାଠ ବ୍ୟୁରୋ): ମହାନଦୀର ଗଭୀର ପାଣିରେ ମୃତ୍ୟୁ ଆଉ ଜୀବନ ମଧ୍ୟରେ ଚାଲିଥିଲା ଦେଢ଼ ଘଣ୍ଟାର ଭୟଙ୍କର ଲଢ଼େଇ। ପ୍ରତି ମୁହୂର୍ତ୍ତରେ ମୃତ୍ୟୁର ଭୟ, ଆଉ ପ୍ରତି ସେକେଣ୍ଡରେ ଜୀବନ ବଞ୍ଚାଇବାର ସଂଘର୍ଷ। ଗୋଟିଏ ପଟେ କୁମ୍ଭୀର ଗୋଡ଼କୁ ଜାବୁଡ଼ି ଧରି ପାଣି ଭିତରକୁ ଘୋଷାଡ଼ି ନେଉଥିବା େବଳେ ଗଛ ଡାଳକୁ ଜାବୁଡ଼ି ଧରି ଜୀବନ ବଞ୍ଚାଇବା ପାଇଁ ଚିତ୍କାର କରୁଥିଲେ ଜଣେ ଯୁବକ। ଶେଷରେ କୁମ୍ଭୀର ସହ ଲଢ଼େଇ କରି ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି ଯୁବକ। ଏଭଳି ଛାତିଥରା ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମାରଡ଼ା ଘାଟରେ। ଯୁବକ ହେଲେ ସୁଧୀର ବେହେରା। ସୂଚନାଯୋଗ୍ୟ, ସୁଧୀର ମହାନଦୀରେ ଗାଧୋଉ ଥିଲେ। ଏହି ସମୟରେ ଏକ କୁମ୍ଭୀର ତାଙ୍କ ବାମ ଗୋଡ଼କୁ ଜାବୁଡ଼ି ଧରି ଦେଇଥିଲା। କିଛି ବୁଝିବା ଆଗରୁ କୁମ୍ଭୀର ଯୁବକଙ୍କୁ ପାଣି ଭିତରକୁ ଘୋଷାଡ଼ି ନେଇଥିଲା। ଜୀବନ ବଞ୍ଚାଇବା ପାଇଁ ସୁଧୀର ଗଛର ଏକ ଡାଳ ଧରି ଜୋରରେ ଚିତ୍କାର କରିବାକୁ ଲାଗିଥିଲେ। ସୁଧୀରଙ୍କ ଚିତ୍କାର ଶୁଣି ଘଟଣାସ୍ଥଳରେ ତାଙ୍କ ସମ୍ପର୍କୀୟ ଭାଇ ତଥା ଲଞ୍ଚ ଡ୍ରାଇଭର ଛବିନ୍ଦ୍ର ବେହେରା ପହଞ୍ଚି ପାଣି ଭିତରେ ଭାଇଙ୍କୁ କୁମ୍ଭୀର କବଳରେ ଛଟପଟ ହେଉଥିବା ଦେଖି ସ୍ଥାନୀୟ ପ୍ରମୋଦ ପ୍ରଧାନଙ୍କୁ ଖବର ଦେବା ପରେ ଉଭୟେ ପାଣି ଭିତରକୁ ପଶିଥିଲେ । ଜୀବନକୁ ବିପଦରେ ପକାଇ ଦୁଇ ଜଣ କୁମ୍ଭୀର କବଳରୁ ସୁଧୀରଙ୍କୁ ଉଦ୍ଧାର କରିଥିଲେ। ଦୀର୍ଘ ସମୟର ଲଢ଼େଇ ପରେ ଶେଷରେ କୁମ୍ଭୀର ମୁହଁରୁ ମୁକୁଳିଥିଲେ ସୁଧୀର। ଉଦ୍ଧାର ପରେ ସୁଧୀରଙ୍କୁ ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳର ଗାଡ଼ିରେ ପୁରୁଣାକଟକ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
