କୋରାପୁଟ(ସତ୍ୟପାଠବ୍ୟୁରୋ ): ବର୍ଷା ବଦଳରେ ଚାଷୀର ଲୁହରେ ଓଦା ହେଉଛି ଫଟା ଜମି। ମୌସୁମୀର ଲୁଚକାଳି ଖେଳ ଚାଷୀକୁ କନ୍ଦାଉଛି। ବର୍ଷାଭାବ ଯୋଗୁ ଆଗେଇ ପାରୁନି ଚାଷ କାର୍ଯ୍ୟ। ଦୁର୍ବଳ ମୌସୁମୀ କୋଲାବ ଜଳଭଣ୍ଡାରକୁ ଶୁଷ୍କ କରିଦେଇଛି। ଡ୍ୟାମ୍‌ରେ ଏବେ ୨୨% ଜଳ ଥିବାବେଳେ ଆଗଉନି ଚାଷ କାର୍ଯ୍ୟ। ଜିଲ୍ଲାରେ ଜୁନ୍ ଓ ଜୁଲାଇରେ ଦୁଇଟି ଲଘୁଚାପ ସତ୍ତ୍ବେ ସ୍ବାଭାବିକଠାରୁ କମ୍‌ ବର୍ଷା ହୋଇଛି। ଜୁନ୍‌ରେ ହାରାହାରି ୨୧୬ ମିମି ବର୍ଷା ହେବାକଥା, ହୋଇଛି ମାତ୍ର ୧୩୫.୭୯ ମିମି। ସ୍ବାଭାବିକଠାରୁ ଏହା ପ୍ରାୟ ୪୦ ପ୍ରତିଶତ କମ୍‌। ସେହିପରି ଜୁଲାଇରେ ହାରାହାରି ୩୫୮.୬ ମିମି ବର୍ଷା ବଦଳରେ ଆଜି ପର୍ଯ୍ୟନ୍ତ ୨୬୭ ମିମି ବର୍ଷା ହୋଇଛି। ସ୍ବାଭାବିକଠାରୁ ୨୫ ପ୍ରତିଶତ କମ୍‌ ବର୍ଷା ହୋଇଥିବାରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହିତ କୋଲାବ ଜଳଭଣ୍ଡାର ଜଳସ୍ତର ଖସିବାରେ ଲାଗିଛି। ଫଳରେ କୋଲାବ ଜଳବିଦ୍ୟୁତ୍‌ କେନ୍ଦ୍ରର ୪ଟି ୟୁନିଟ୍‌ ମଧ୍ୟରୁ ଗୋଟିଏ ୟୁନିଟ୍‌ ଅଚଳ ହୋଇଯାଇଛି, ୩ଟି ୟୁନିଟ୍‌ କାର୍ଯ୍ୟକ୍ଷମ ଅଛି। ଦୈନିକ ୧୦୦୦ ମେଗାୱାଟ୍‌ ବିଦ୍ୟୁତ୍‌ ଉତ୍ପାଦନ ହେଉଥିବା ବେେଳ ହାରହାରି ବିଦ୍ୟୁତ୍‌ ଉତ୍ପାଦନ ୪୧.୦୭ ମେଗାୱାଟ୍‌ ରହିଛି। ଉପରମୁଣ୍ଡରେ ବର୍ଷା କମ୍‌ ହେଲେ ବିଦ୍ୟୁତ୍‌ ଉତ୍ପାଦନ ସହ ଚାଷ କାର୍ଯ୍ୟ ପ୍ରଭାବିତ ହେବା ଆଶଙ୍କା ରହିଛି। ଖାଲୁଆ ଜମିରେ ତଳିରୁଆ ସରିଥିବା ବେଳେ ଉଚ୍ଚା ଜମି ଗୁଡ଼ିକରେ ଚାଷ କାର୍ଯ୍ୟ ଆରମ୍ଭ ହୋଇପାରିନି। ଅନ୍ୟପକ୍ଷରେ କୋରାପୁଟ ଜିଲ୍ଲାର ଜୀବନରେଖା କୁହାଯାଉଥିବା ଅପରକୋଲାବ ଜଳଭଣ୍ଡାର ଜଳସ୍ତରକୁ ନେଇ ବଢ଼ିଛି ଚିନ୍ତା। ଜଳସେଚନ ସହ ପାନୀୟ ଜଳ ଯୋଗାଣ ଓ ବିଦ୍ୟୁତ୍‌ ଉତ୍ପାଦନ କ୍ଷେତ୍ରରେ କୋଲାବର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅନିୟମିତ ବର୍ଷା ଯୋଗୁଁ ଏବେ କୋଲାବରେ ମାତ୍ର ୨୨.୩୩ ପ୍ରତିଶତ ଜଳ ଗଚ୍ଛିତ ରହିଛି। ଜଳଭଣ୍ଡାରର ସର୍ବନିମ୍ନ ଜଳସ୍ତର ୮୪୪ ମିଟର ଥିବାବେଳେ ୮୪୮.୬୧ ମିଟରକୁ ଖସିଛି। ସ୍ବାଭାବିକ ବର୍ଷା ନ ହେଲେ ରାଜ୍ୟରେ ବିଦ୍ୟୁତ୍‌ ସଂକଟ ଦେଖାଦେବ। କୋଲାବ ଜଳଭଣ୍ଡାରର ଜଳଧାରଣ କ୍ଷମତା ୯୩୫ ନିୟୁତ କ୍ୟୁବିକ୍ ମିଟର। ବର୍ତ୍ତମାନ ମାତ୍ର ୨୦୮.୮୧ ନିୟୁତ କ୍ୟୁବିକ୍ ମିଟର ଜଳ ରହିଛି, ଯାହା ନିର୍ଦ୍ଧାରିତ କ୍ଷମତାର ୨୨.୩୩ ପ୍ରତିଶତ। ଗତବର୍ଷ ତୁଳନାରେ ୨୦୨୬ରେ ପ୍ରାୟ ୧୮ ପ୍ରତିଶତ କମ୍‌ ଜଳ ରହିଛି। ଫଳରେ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବାବେଳେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି।